Categories: ଖେଳ

ସିନ୍ଧୁ, ସାଇନାଙ୍କ ର଼୍ୟାଙ୍କିଙ୍ଗ୍‌ ସ୍ଥିର

ନୂଆଦିଲ୍ଲୀ,୩୧।୭(ପିଟି)- ଦେଶର ଦୁଇ ମହିଳା ସିଙ୍ଗଲ୍ସ ଶଟଲର ପି. ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ବିଶ୍ୱ ମାନ୍ୟତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ଦର୍ଶାଇଛି ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ନୂଆ ର଼୍ୟାଙ୍କିଙ୍ଗ୍‌। ନେହ୍ବାଲ ଆହତ ସମସ୍ୟା ଯୋଗୁ କିଛିଦିନ ହେଲା କୋର୍ଟରୁ ଦୂରେଇ ରହିବା ପରେ ଥାଇଲାଣ୍ଡ ଓପନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସେ ଆହତ ସମସ୍ୟା ଯୋଗୁ ଇଣ୍ଡୋନେସିଆ ଓପନ ଓ ଜାପାନ ଓପନରୁ ଓହରି ଯାଇଥିଲେ। ଚଳିତ ସିଜନରେ ପ୍ରଥମ ଟାଇଟଲ ଅପେକ୍ଷାରେ ଥିବା ସିନ୍ଧୁ ଇଣ୍ଡୋନେସିଆ ଓପନରେ ଉପବିଜେତା ହୋଇ ରହିଥିଲେ। ହାଇଦ୍ରାବାଦୀ ଶଟଲର ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ଓପନରୁ ଓହରି ଯାଇଛନ୍ତି। ଚଳିତ ବର୍ଷ ଦୁଇ ଟାଇଟଲ ଜିତିଥିବା ଜାପାନର ଆକାନେ ୟାମାଗୁଚି ଶୀର୍ଷସ୍ଥାନ ହାତେଇ ନେଇଛନ୍ତି। ସେ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗ୍‌ଙ୍କୁ ପଛରେ ପକାଇ ନୂଆ ନଂ୧ ର଼୍ୟାଙ୍କ୍‌ ହୋଇପାରିଛନ୍ତି। ୟାମାଗୁଚିଙ୍କ ସାଥି ନାଜୋମି ଓକୁହାରା ୩ୟ ଓ ଚାଇନାର ଚେନ ୟୁଫେଇ ୪ର୍ଥ ସ୍ଥାନରେ ରହିଛନ୍ତି। ପୁରୁଷ ସିଙ୍ଗଲ୍ସ କେଣ୍ଟୋ ମୋମୋଟା ଶୀର୍ଷ ର଼୍ୟାଙ୍କରେ ନିଜ ସ୍ଥାନକୁ ଦୃଢ଼ୀଭୂତ କରିଛନ୍ତି। ଭାରତର କିଡାମ୍ବି ଶ୍ରୀକାନ୍ତ ୧୦ମ ସ୍ଥାନରେ ରହିଥିବାବେଳେ ସମୀର ବର୍ମା ୧୩ତମ ସ୍ଥାନ ଅଧିକାର କରିଛନ୍ତି।

Share