Categories: ଖେଳ

ସିନ୍‌ସିନାଟି ମାଷ୍ଟର୍ସ ଟେନିସ : ସେମିରେ ହାରିଲେ ଜୋକୋଭିଚ୍‌, ମେଡଭେଡେଭ- ଗଫିନ୍‌ ଫାଇନାଲ

ସିନସିନାଟି, ୧୮।୮(ଏଏଫ୍‌ପି): ଏଠାରେ ଚାଲିଥିବା ସିନସିନାଟି ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ବିଶ୍ୱର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ରୁଷିଆର ନବମ ସିଡ୍‌ ଖେଳାଳି ଡାନିଲି ମେଡଭେଡେଭ ୩-୬, ୬-୩, ୬-୩ ସେଟରେ ଜୋକୋଭିଚ୍‌ଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଟାଇଟଲ ପାଇଁ ସେ ଫାଇନାଲରେ ବେଲଜିୟମର ୧୬ତମ ସିଡ ଖେଳାଳି ଡେଭିଡ ଗଫିନ୍‌ଙ୍କୁ ଭେଟିବେ। ଗଫିନ ଅନ୍ୟ ଏକ ସେମିଫାଇନାଲ ମ୍ୟାଚ୍‌ରେ ଫ୍ରାନ୍ସର ରିଚାର୍ଡ ଗାସ୍‌କ୍ୱେଟଙ୍କୁ ୬-୩, ୬-୩ ସେଟରେ ପରାସ୍ତ କରି ଫାଇନାଲକୁ ଉଠିଛନ୍ତି। ଦୁଇଟି ଯାକ ସେମିଫାଇନାଲରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଜୋକୋଭିଚ୍‌ ନିଜ ପ୍ରଦର୍ଶନରେ ନିରାଶ ହୋଇଛନ୍ତି ବୋଲି କହିଛନ୍ତି। ତେବେ ଜୋକୋଭିଚ୍‌ଙ୍କୁ ହରାଇଥିବାର ମେଡଭେଡେଭ ଖୁସି ଜାହିର କରିଛନ୍ତି। ଗତ ଏପ୍ରିଲରେ ମୋଣ୍ଟେ କାର୍ଲୋରେ ମଧ୍ୟ ମେଡଭେଡେଭ ଓ ଜୋକୋଭିଚ୍‌ ମୁହାଁମୁହିଁ ହୋଇଥିଲେ ଓ ଏଥି ମେଡଭେଡେଭ ବାଜି ମାରିଥିଲେ। ଗତଥରର ଚାମ୍ପିୟନ ଜୋକୋଭିଚ୍‌ ଜୁଲାଇରେ ଓ୍ବିମ୍ବେଲଡନ ଟାଇଟଲ ଜିତିବା ପରେ ପ୍ରଥମ ଟୁର୍ନାମେଣ୍ଟ ଖେଳିଥିଲେ।

Share