ସିପସରୁବାଲି ମୌଜାରେ ଜବରଦଖଲ ଉଚ୍ଛେଦ: ତିଆରି ହେବ ଲୋକସେବା ସଦନ

ପୁରୀ ଅଫିସ, ୨୫।୮: ବଦଳିବ ପୁରୀର ଢାଞ୍ଚା। ବିଶ୍ୱର ଐତିହ୍ୟ ସହର ଭାବେ ପାଇବ ନୂଆ ପରିଚୟ। ଏଥିପାଇଁ ସହରର ସାମ୍ପ୍ରତିକ ଚିତ୍ରରେ ବ୍ୟାପକ ପରିବର୍ତ୍ତନ ହେବ। ଭିତ୍ତିଭୂମି, ନୂଆ ରାସ୍ତା, ସେତୁ, ପାର୍କିଂ, ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ, ପୁନରୁଦ୍ଧାର ଆଦି କାମ କରାଯିବ। ଏଥିଲାଗି ସରକାରୀ ଜମିରୁ ଜବରଦଖଲ ଓ ବେଆଇନ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମେଘନାଦ ପାଚେରି ପାର୍ଶ୍ୱ ନିର୍ମାଣ ଉଚ୍ଛେଦ ହେବା ପରେ ପ୍ରଶାସନ ଏବେ ଅନ୍ୟାନ୍ୟ ସ୍ଥାନ ଉପରେ ଦୃଷ୍ଟି ପକାଇଛି। ସହର ଏବଂ ଉପକଣ୍ଠରେ ବହୁ ସରକାରୀ ଜମିକୁ ଜବରଦଖଲକାରୀ ମାଡ଼ି ବସିଛନ୍ତି। ଏହିସବୁ ଜାଗାକୁ ମୁକ୍ତ କରି ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ଓ ସହରର ବିକାଶ ପାଇଁ ବିଭିନ୍ନ ନିର୍ମାଣ କରାଯିବ। ଏଥିଲାଗି ପୁରୀର ପୁରୁଣା ନକ୍ସା, କାଗଜପତ୍ର ଖେଳାଇ କେଉଁଠି କେତେ ସରକାରୀ ଜମି ରହିଛି, କେଉଁଠାରେ ବେଆଇନ ନିର୍ମାଣ ହୋଇଛି ତାହାକୁ ଚିହ୍ନଟ କରାଯାଉଛି। ପର୍ଯ୍ୟାୟ କ୍ରମେ ଏହିସବୁ ଜାଗାକୁ ନିଜ ଅକ୍ତିଆରକୁ ଆଣିବ ପ୍ରଶାସନ। ଏହି ଅଭିଯାନରେ ବ୍ରହ୍ମଗିରି ତହସିଲ ଅଧୀନ ସିପସରୁବାଲି ମୌଜାର ୫୬ ଏକର ସରକାରୀ ଜାଗାକୁ ଚିହ୍ନଟ କରାଯାଇଛି। ଏଠାରେ ଥିବା ଜବରଦଖଲକୁ ଶନିବାର ଉଚ୍ଛେଦ କରାଯାଇଛି। ଏହି ଜାଗାରେ ଲୋକସେବା ସଦନ ଅର୍ଥାତ୍‌ ଗୋଟିଏ ଛାତ ତଳେ ଜିଲା ପ୍ରଶାସନର ସବୁ ଅଫିସ ରଖାଯିବାକୁ ନିଷ୍ପତ୍ତି ହୋଇଛି।

ମଙ୍ଗଳା ନଦୀ ମୁହାଣ ନିକଟ ହୋଟେଲ ଷ୍ଟର୍ଲିଂ ସମ୍ମୁଖରେ ସିପସରୁବାଲି ମୌଜାର ୫୬ ଏକର ସରକାରୀ ଜମି ଚିହ୍ନଟ କରିଛି ପ୍ରଶାସନ। ଏଠାରେ ଲୋକସେବା ସଦନ ନିର୍ମାଣ କରାଯିବାକୁ ପରିକଳ୍ପନା ହୋଇଛି। ସହର ଉପକଣ୍ଠ ଏହି ଜମିରେ ରହିଥିବା କେତେକ ଜବରଦଖଲକୁ ପ୍ରଶାସନ ଉଚ୍ଛେଦ କରିଛି। ଶନିବାର ଜେସିବି ଲଗାଇ କେତେକ ପାଚେରି, ଦୋକାନ ଘର ଏବଂ ଘର ଭଙ୍ଗାଯାଇଛି। ଆଉ କେତେକ ଘରକୁ ଖାଲି କରିବା ଲାଗି ନୋଟିସ୍‌ ଦିଆଯାଇଛି। ଏହି ଉଚ୍ଛେଦ ସମ୍ପର୍କରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି, ପୁରୀର ବିକାଶକୁ ରାଜ୍ୟ ସରକାର ଫୋକସରେ ରଖିଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ କରାଯିବ। ଜିଲା ପ୍ରଶାସନର ସବୁ ଅଫିସ ଗୋଟିଏ ଛାତ ତଳେ ରହିବା ଲାଗି ନିଷ୍ପତ୍ତି ହୋଇଛି। ସେଥିପାଇଁ ସିପସରୁବାଲିର ମୌଜାର ପ୍ରାୟ ୫୬ ଏକର ସରକାରୀ ଜମିକୁ ଚିହ୍ନଟ କରାଯାଇ ଏଥିରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଏଠାରେ ଲୋକସେବା ସଦନ ତିଆରି ହେବାର ପ୍ରସ୍ତାବ ରହିଛି। ସେହିପରି ଷ୍ଟର୍ଲିଂ ନିକଟ ମଙ୍ଗଳା ନଦୀ ଉପରେ ନୂଆ ବ୍ରିଜ୍‌ ନିର୍ମାଣ ହେବ। ମଙ୍ଗଳା ଘାଟଠାରେ ଏକ ଅତ୍ୟାଧୁନିକ ଟ୍ରାଫିକ ପୋଷ୍ଟ ବ୍ୟବସ୍ଥା କରାଯିବ। ପର୍ଯ୍ୟାୟ କ୍ରମେ ସମସ୍ତ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଦାଶ ସୂଚନା ଦେଇଛନ୍ତି।

Share