Categories: ଗଞ୍ଜାମ

ସିପିଏସ୍‌ ମହୁଡ଼ା ଦୁର୍ନୀତିର ତଦନ୍ତ ଦାବି

ବ୍ରହ୍ମପୁର ଅଫିସ୍‌,୧୮ା୫-କଲେଜ ଅଫ୍‌ ଫାର୍ମାସିୟୁଟିକାଲ୍‌ ସାଇନ୍ସ(ସିପିଏସ୍‌) ମହୁଡ଼ାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଶୁକ୍ରବାର ବିଭିନ୍ନ ସଂଗଠନ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ ନିକଟରେ ଅଭିଯୋଗ କରାଯାଇଛି । ଦୁର୍ନୀତିର ତଦନ୍ତ କରିବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ, ଗଞ୍ଜାମ ଜିଲା ବିକାଶ ମଞ୍ଚ, ଇଣ୍ଡିଆନ୍‌ ସିଟିଜେନ୍ସ ଆକ୍ସନ ଫର୍‌ ନେଶନ୍‌, ଭାରତ ବିକାଶ ପରିଷଦ, ସଂସ୍କାରବାଦୀ ଏବଂ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏହି ଦାବି କରାଯାଇଛି ।
ସଂଗଠନଗୁଡ଼ିକର ଅଭିଯୋଗ ଅନୁଯାୟୀ, ୧୯୭୯ରେ ସ୍ବର୍ଗତ ବୃନ୍ଦାବନ ନାୟକ, ବ୍ରହ୍ମପୁର ସହରର ବୁଦ୍ଧିଜୀବୀ ଏବଂ ଗଞ୍ଜାମ ଫୁଲବାଣୀ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ୍‌ର କିଛି ସଭ୍ୟଙ୍କ ଉଦ୍ୟମରେ ରାଜ୍ୟର ଏହି ପ୍ରଥମ ଫର୍ମାସୀ କଲେଜ ପ୍ରତିଷ୍ଠା ହୋଇଥିଲା । ହେଲେ ପ୍ରତିଷ୍ଠା ପରଠୁ କଲେଜର କୌଣସି ସରକାରୀ ଅଡିଟ୍‌ ହୋଇନାହିଁ । ସଂପ୍ରତି କଲେଜ ସଂପୂର୍ଣ୍ଣ ଭାବେ ଦୁର୍ନୀତିରେ ବୁଡ଼ିରହିଛି। ତେଣୁ ୧୯୭୯ରୁ ୨୦୧୯ ପର୍ଯ୍ୟନ୍ତ ଆଦାୟ ହୋଇଥିବା ଟିଉଶନ୍‌ ଫି’ର ଅଡିଟ୍‌, କଲେଜ ଅଧ୍ୟକ୍ଷଙ୍କୁ ବହିଷ୍କାର, ୨୦୦୬ରେ ପାଳିତ ହୋଇଥିବା ରୌପ୍ୟ ଜୟନ୍ତୀର ଅଡିଟ୍‌, କଲେଜ ପରିଚାଳନା କମିଟିକୁ ଭାଙ୍ଗି ସରକାର ନିଜ ଅଧୀନକୁ ନେବା, ଛାତ୍ରାବାସର ଜମିପଟ୍ଟାର ତଦନ୍ତ ସହ ମୋଟ ୧୧ ଦୁର୍ନୀତିର ତଦନ୍ତ ଦାବି କରାଯାଇଛି। ବାରମ୍ବାର ପ୍ରଶାସନକୁ ଏ ନେଇ ଅବଗତ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସଂଗଠନର କର୍ମକର୍ତ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶିବ ପ୍ରସାଦ ମିଶ୍ର, ପ୍ରଦୀପ ଚନ୍ଦ୍ର ଦାଶ, ପାପୁଚରଣ ସାହୁ, ମଧସୂଦନ ସେଠୀ, କୁଶ ବେହେରା, ବିଜୟ ଚନ୍ଦ୍ର ବିଷୋୟୀ, ରମେଶ ଚନ୍ଦ୍ର ସାହୁ, ରଜନୀକାନ୍ତ ମଣ୍ଡଳ, ନିରଞ୍ଜନ ଦାଶ, ମାଗୁଣୀ ନାହାକ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ତ୍ରିନାଥ ମହାରଣା, ଅବନୀ କୁମାର ଗୟା, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।