ସିଫାରେ ଚାକିରି କରାଇଦେବାକୁ କହି ୩ ଲକ୍ଷ ଠକେଇ

ପୁରୁଣା ଭୁବନେଶ୍ୱର, ୨୯।୨ (ଡି.ଏନ.ଏ.): ମାଟ୍ରିକ ଯାଏ ପଢିଥିଲେ ପାଠ। ପାଖରେ ସମ୍ବଳ ନ ଥିବାରୁ ଆଉ ପଢି ପାରିଲେନି। ସେତିକିରେ ସନ୍ତୁଷ୍ଟ ହେବାକୁ ପଡିଲା। ପରିବାର ପ୍ରତି ପୋଷଣ ପାଇଁ ଖବରକାଗଜ ବିକ୍ରି କରିବାକୁ ଆଗେଇ ଆସିଥିଲେ ବାବୁଲି ପୃଷ୍ଟି। ନିଶା ଥିଲା ଚିକିରି କରିବା। ୩ ବର୍ଷ ତଳେ ପୂବା ଶାସନର ଜଣେ ଯୁବକଙ୍କ ସଙ୍ଗେ ଦେଖା ହୋଇଥିଲା। ଯୁବକ ଜଣକଙ୍କ ବାପା କୌଶଲ୍ୟାଗଙ୍ଗ ସ୍ଥିତ ମଧୁର ମତ୍ସ୍ୟ ଗବେଷଣା କେନ୍ଦ୍ର(ସିଫା)ରେ ଚାକିରି କରନ୍ତି। ସମ୍ପୃକ୍ତ ଯୁବକ ବାବୁଲିଙ୍କୁ ଚାକିରି କରିବା ଲୋଭ ଦେଖାଇଥିଲେ। ୩ଟି ପୋଷ୍ଟ ଆସିଛି। ସୁଯୋଗ ଦେଖି ବାବୁଲି ହଠାତ୍‌ ଆଗେଇ ଆସିଥିଲେ। ନିଜ ପାଇଁ ଏବଂ ଗ୍ରାମର ଅନ୍ୟ ଦୁଇ ଶୁଭକାନ୍ତ ସାହୁ ଏବଂ ବିମ୍ବାଧର ସାହୁ ମିଶି ଚାକିରି ନିମନ୍ତେ ୩ ଲକ୍ଷ ଟଙ୍କା ଯୁବକଙ୍କୁ ଦେଇଥିଲେ। ବର୍ଷ ପରେ ବର୍ଷ ଗଡି ଚାଲିଲା। ଚାକିରି ଦୂରେ ଥାଉ ଯୁବକଙ୍କ ଦେଖା ମିଳି ନ ଥିଲା। ଏ ନେଇ ବାବୁଲି ପ୍ରଥମେ ଏଫ୍‌ଆଇଆର ଦେଇଥିଲେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ। ଅଭିଯୋଗ ପାଇଁ ଉତ୍ତରା ଫାଣ୍ଡି ପୋଲିସ ଯୁବକଙ୍କ ସହ ଠକେଇର ଶିକାର ହୋଇଥିବା ହକର ବାବୁଲି ଏବଂ ଅନ୍ୟ ୩ ଜଣଙ୍କୁ ଫାଣ୍ଡିକୁ ଡକାଇଥିଲେ। ଏକ ଚୁକ୍ତିନାମା ଅନୁସାରେ ୩ ଲକ୍ଷ ଟଙ୍କା ଫେରାଇବାକୁ ମଧ୍ୟ ସ୍ଥିର ହୋଇଥିଲା। ମାତ୍ର ପୂର୍ବଭଳି ଯୁବକ ନୀରବ ରହିଥିଲେ। ବାବୁଲି ଉତ୍ତରା ଫାଣ୍ଡି ପୋଲିସ ଉପରେ ଭରସା କରି ନ ଥିଲେ। ବାଧ୍ୟ ହୋଇ ସେ ପିପିଲି ଥାନା ପୋଲିସ ନିକଟରେ ସମସ୍ତ ଘଟଣାକୁ ନେଇ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଥିଲେ ଗତ ୧୩ା୧ା୨୦ରେ। ଅଭିଯୋଗର ୧ ମାସ ୧୫ ଦିନ ବିତିଲାଣି, ପୋଲିସର ନୀରବତା ଠକାମିର ଶିକାର ଯୁବକମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି। ଏ ସମ୍ପର୍କରେ ଉତ୍ତରା ଫାଣ୍ଡି ଇନଚାର୍ଜ ମନୋଜ ଦାସଙ୍କୁ ପଚାରିବାରେ ନୂଆ କରି ଆସି ଏଠାରେ କାର୍ଯ୍ୟରେ ଯୋଗ ଦେଇଛି। ଘଟଣା ସମ୍ପର୍କରେ ଅବଗତ ନାହିଁ ତଥାପି ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ସେ କହିଥିଲେ।

Share