ସିବିଆଇକୁ ଦିଆଯିବ ଭକ୍ତଙ୍କ ଦସ୍ତଖତପତ୍ର

ପୁରୀ ଅଫିସ,୯।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ି ଥିବାରୁ ଆର୍‌ବିଆଇ ଏହି ପଦକ୍ଷେପ ନେଇଛି। ଏଭଳି ସ୍ଥିିିତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଚାଳନା କମିଟି ଏବଂ ଗଜପତି ମହାରାଜଙ୍କୁ କାହିଁକି ଆଢୁଆଳରେ ରଖାଯାଇଥିଲା ବୋଲି ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟ ନାରାୟଣ ରଥ ପ୍ରଶ୍ନ କରିଛନ୍ତି। ଉକ୍ତ ଟଙ୍କାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପରିବର୍ତ୍ତେ ଘରୋଇ ବ୍ୟାଙ୍କରେ ରଖିବା ପଛରେ ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ରହିଛି। ପରିଚାଳନା କମିଟି ଓ ଅର୍ଥ ସବ୍‌ କମିଟି ଅଗୋଚରରେ ଏହି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ରଖାଯାଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ ଓ ଗିରଫ କରାଯିବାକୁ ରଥ ଦାବି କରିଛନ୍ତି। ଏ ନେଇ ୯ତାରିଖଠାରୁ ଭକ୍ତଙ୍କ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ୧୦ହଜାରରୁ ଊର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ଦାବିପତ୍ର ସିବିଆଇକୁ ଦିଆଯିବ। ସେହିପରି ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ତାଙ୍କୁ ହଟାଯିବାକୁ ସେ ଦାବି କରିଛନ୍ତି। ୟେସ୍‌ ବ୍ୟାଙ୍କରେ ଏତେ ଟଙ୍କା ରଖିବା ପଛରେ ଅଧିକ ସୁଧ ଲୋଭ ନା ଆଉ କିଛି ରହସ୍ୟ ରହିଛି ତାହାର ତଦନ୍ତ ପାଇଁ ରଥ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି।

Share