ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପରୀକ୍ଷା ଫି’ ବୃଦ୍ଧି ଯୋଗୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି। ଯେଉଁଭଳି ଭାବେ ଫି’ ବୃଦ୍ଧି କରାଯାଇଛି, ବିଶେଷକରି ଏସ୍‌ସି/ଏସ୍‌ଟି ପିଲାଙ୍କର ୨୪ ଗୁଣା ବଢ଼ିଛି ତାହା ଅସ୍ବାଭାବିକ ଅଟେ। ଓଡ଼ିଶାର ଗ୍ରାମାଞ୍ଚଳରେ ୨୦୦ରୁ ଅଧିକ ସିବିଏସ୍‌ଇ ଦ୍ୱାରା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ ରହିଛି। ସେହି ଅଞ୍ଚଳରେ ଏହି ଫି’ ବୃଦ୍ଧି କଷ୍ଟଦାୟକ ହେବ। ତେଣୁ ସିବିଏସ୍‌ଇ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମର୍ଥନ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମତକୁ ସମର୍ଥନ କରୁଛି ଏବଂ ଆଶା କରୁଛି କେନ୍ଦ୍ର ସରକାର ଏହାକୁ ସମର୍ଥନ କରିବେ ବୋଲି କେଜରିଓ୍ବାଲ ନିଜ ଟୁଇଟର ଜରିଆରେ ଲେଖିଛନ୍ତି।