Categories: ଜାତୀୟ

ସିବିଏସ୍‌ଇ ବୋର୍ଡ ପରୀକ୍ଷା ଫି ବୃଦ୍ଧି

ନୂଆଦିଲ୍ଲୀ,୧୨ା୮(ପି.ଟି.): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫି ବୃଦ୍ଧି କରିଛନ୍ତି। ଚଳିତ ବର୍ଷଠାରୁ ଏହି ବର୍ଦ୍ଧିତ ଫି ଲାଗୁହେବ। ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ପିଲାଙ୍କ ଲାଗି ପରୀକ୍ଷା ଫି ୨୪ ଗୁଣ ବୃଦ୍ଧି ପାଇଛି। ସେମାନେ ପୂର୍ବରୁ ୫୦ ଟଙ୍କା ଦେଉଥିବାବେଳେ ଏଣିକି ୧୨୦୦ ଟଙ୍କା ଦେୟ ପୈଠ କରିବେ। ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି ଦୁଇଗୁଣ କରାଯାଇଛି। ସେମାନଙ୍କୁ ଏଣିକି ୧୫୦୦ ଟଙ୍କା ପୈଠ କରିବାକୁ ପଡ଼ିବ। ପୂର୍ବରୁ ସେମାନେ ପରୀକ୍ଷା ଫି ବାବଦରେ ୭୫୦ ଟଙ୍କା ଦେଉଥିଲେ। ଦଶମ ବୋର୍ଡ ପରୀକ୍ଷା ଲାଗି ନବମ ଶ୍ରେଣୀରୁ ନାମ ପଞ୍ଜୀକରଣ କରିବାକୁ ହେବ। ସେହିପରି ଦ୍ୱାଦଶ ପରୀକ୍ଷା ଦେବାକୁ ଥିବା ପିଲାମାନେ ଏକାଦଶ ଶ୍ରେଣୀରୁ ପଞ୍ଜୀକୃତ ହେବେ। ଯେଉଁ ସ୍କୁଲଗୁଡିକରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ସେମାନେ ପିଲାଙ୍କ ଠାରୁ ବର୍ଦ୍ଧିତ ଦେୟ ସଂଗ୍ରହ କରିବା ଲାଗି ସିବିଏସ୍‌ଇ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।
ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅତିରିକ୍ତ ବିଷୟ ପରୀକ୍ଷା ଦେବା ପାଇଁ ଅନୁସୂଚିତ ଉପଜାତିର ଛାତ୍ରୀଛାତ୍ରଙ୍କୁ ଦେୟ ଦେବାକୁ ପଡୁ ନ ଥିଲା। ଏଣିକି ସେମାନଙ୍କୁ ଏଥିପାଇଁ ୩୦୦ ଟଙ୍କା ପୈଠ କରିବାକୁ ହେବ। ସାଧାରଣ ବର୍ଗର ପିଲା ପୂର୍ବରୁ ଅତିରିକ୍ତ ବିଷୟ ପାଇଁ ୧୫୦ ଟଙ୍କା ଦେଉଥିବାବେଳେ ଏଣିକି ୩୦୦ ଟଙ୍କା ପୈଠ କରିବେ। ୧୦୦ ପ୍ରତିଶତ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଫି ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ଶେଷ ତାରିଖ ପୂର୍ବରୁ ବର୍ଦ୍ଧିତ ପରୀକ୍ଷା ଦେୟ ପୈଠ କରିବାରେ ବିଫଳ ହେବେ ସେମାନଙ୍କ ନାମ ପଞ୍ଜୀକରଣ ହେବନାହିଁ ଏବଂ ସେହି ପିଲାମାନେ ୨୦୧୯-୨୦ ବର୍ଷ ପାଇଁ ପରୀକ୍ଷା ଦେଇପାରିବେ ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।
ପୂର୍ବରୁ ମାଇଗ୍ରେଶନ ଫି ୧୫୦ ଟଙ୍କା ଥିଲାବେଳେ ତାକୁ ୩୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଦେଶୀ ଛାତ୍ରୀଛାତ୍ର ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୫ଟି ବିଷୟ ପାଇଁ ୧୦ ହଜାର ଟଙ୍କା ଜମା କରିବେ। ପୂର୍ବରୁ ସେମାନଙ୍କୁ ୫ ହଜାର ଟଙ୍କା ଦେବାକୁ ପଡୁଥିଲା। ଏହା ବ୍ୟତୀତ ଦ୍ୱାଦଶ ଶ୍ରେଣୀରେ ଅତିରିକ୍ତ ବିଷୟ ପାଇଁ ୨୦୦୦ ଟଙ୍କା ଦେବାକୁ ହେବ, ଯାହା ପୂର୍ବରୁ ୧୦୦୦ ଟଙ୍କା ଥିଲା।

Share