ସିବିଏସ୍‌ଇ ସ୍କେଟିଂ ପ୍ରତିଯୋଗିତା: ବ୍ରହ୍ମପୁରକୁ ୩ ସ୍ବର୍ଣ୍ଣ, ୩ ବ୍ରୋଞ୍ଜ

ବ୍ରହ୍ମପୁର ଅଫିସ୍‌,୧୬ା୧୦-ଚଳିତ ମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଛତିଶଗଡ ରାୟପୁରରେ ସିବିଏସ୍‌ଇ ଦ୍ୱାରା ଅନୁଷ୍ଠିତ ଜୋନାଲ୍‌ସ୍ତରୀୟ ସ୍କେଟିଂ ପ୍ରତିଯୋଗିତାରେ ବ୍ରହ୍ମପୁରର ସ୍କେଟରମାନେ ସଫଳତା ପାଇଛନ୍ତି। ପ୍ରତିଯୋଗିତାରେ ୩ଟି ଲେଖାଏ ସ୍ବର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍କେଟରମାନେ ବ୍ରହ୍ମପୁର ସହରର ବିଭିନ୍ନ ବିଦ୍ୟାଳୟରୁ ପ୍ରତିନିଧିତ୍ତ୍ୱ କରିଥିଲେ। କମାପଲ୍ଲୀସ୍ଥିତ ସିଲ୍‌କି ରୋଲର୍‌ ସ୍କେଟିଂ ଏକାଡ଼େମୀରୁ ତାଲିମ ନେଉଥିଲେ। ପ୍ରତିଯୋଗିତାରେ ୮ ବର୍ଷ ବୟସ ବର୍ଗ ବାଳିକା ବିଭାଗରେ ଡ଼ିଏଭି ପବ୍ଲିକ୍‌ ସ୍କୁଲ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଅନ୍ବେଷା ବିଷୋୟୀ ୩୦୦ ମିଟର ଟାଇମ୍‌ ଟ୍ରାଇଲ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୧୦୦୦ ମିଟର ସ୍ପିଡ଼୍‌ ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେହିଭଳି ୧୦ ବର୍ଷର ବାଳକ ବିଭାଗରେ ଡ଼ିଏଭି ପବ୍ଲିକ ସ୍କୁଲ ଚତୁର୍ଥ ଶ୍ରେଣୀ ଛାତ୍ର ଆଶୁତୋଷ ପାଢ଼ୀ ୧୦୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ଓ ୩୦୦ ମିଟର ଟାଇମ୍‌ ଟ୍ରାଇଲ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କେ.ସି.ପବ୍ଳିକ୍‌ ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ପୁନିତ୍‌ ଗୌଡ଼ ୧୦୦୦ ମିଟର ରେସ୍‌ରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେହିପରି ସିନିୟର ସେକେଣ୍ଡାରୀ ସଂକଳ୍ପ ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ର ଅନୁଭବ ପଣ୍ଡା ୧୦୦୦ ମିଟର ରେସ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସିବିଏସ୍‌ଇ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଫାର୍‌ ଇଷ୍ଟ ଜୋନ୍‌ ପାଇଁ ୮ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟରମାନେ ଅଂଶଗ୍ରହଣ କରିଥିଲେ। ବ୍ରହ୍ମପୁରର ସ୍କେଟରମାନେ ନିଜେ ନିଜେ ଜୋରଦାର୍‌ ଅଭ୍ୟାସ କରିଥିବାରୁ ଏହି ସଫଳତା ପାଇପାରିଛନ୍ତି। ଅଭିଭାବକ ଏକାଡ଼େମୀ ପରିଚାଳକ ଓ କୋଚ୍‌ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାସହ ଏହି ଖେଳାଳିମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନ୍ବେଷା ଓ ଆଶୁତୋଷ ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଉଭୟଙ୍କୁ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି ।