ସିବିଏସ୍‌ଇ ୯ମ, ଏକାଦଶ ଛାତ୍ରୀଛାତ୍ରଙ୍କୁ ମିଳିଲା ସୁଯୋଗ: ବିଫଳ ଛାତ୍ରୀଛାତ୍ର ଦେଇପାରିବେ ପରୀକ୍ଷା

ଭୁବନେଶ୍ୱର,୧୫।୫(ବ୍ୟୁରୋ): ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ (ସିବିଏସ୍‌ଇ) ନବମ ଓ ଏକାଦଶ ପରୀକ୍ଷାରେ ଫେଲ୍‌ କିମ୍ବା ବଞ୍ଚତ୍ତ ହୋଇଥିବା ଛାତ୍ରୀଛାତ୍ରମାନେ ଆଉଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ବୋର୍ଡ ପକ୍ଷରୁ ଶେଷଥର ଏହି ସୁଯୋଗ ଦିଆଯିବ ବୋଲି ଗୁରୁବାର ସିବିଏସ୍‌ଇ ଘୋଷଣା କରିଛି। ଫେଲ୍‌ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ୍‌ଗୁଡ଼ିକ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ରେ ଏହି ପରୀକ୍ଷା କରାଇପାରିବେ। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି କେବଳ ଚଳିତବର୍ଷ ପାଇଁ ପିଲାମାନଙ୍କୁ ଏହି ସୁଯୋଗ ଦିଆଯିବ ବୋଲି ସିବିଏସ୍‌ଇ କଣ୍ଟ୍ରୋଲର୍‌ ସନ୍ୟମ ଭରଦ୍ୱାଜ ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ଅନୁରୋଧକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ସେହିଭଳି ପିଲାମାନେ କେବଳ ଫେଲ୍‌ ହୋଇଥିବା ବିଷୟରେ କିମ୍ବା ଚାହିଁଲେ ସମସ୍ତ ବିଷୟରେ ପରୀକ୍ଷା ଦେଇପାରିବେ। ଏହି ସ୍କୁଲ୍‌-ବେସ୍‌ଡ ଟେଷ୍ଟ ପାଇଁ ପ୍ରସ୍ତୁତ ହେବାକୁ ପିଲାମାନଙ୍କୁ ଆବଶ୍ୟକ ସମୟ ଦେବା ପାଇଁ ସ୍କୁଲ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Share