Categories: କନ୍ଧମାଳ

ସିମନବାଡ଼ି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ.ଏ)-କନ୍ଧମାଳ ଜିଲାରେ ଗତବର୍ଷ ମାଟ୍ରିକ ରେଜଲ୍ଟ ଭଲ ହୋଇ ନ ଥିଲା। ଏନେଇ ବିଭିନ୍ନ ବିଦ୍ୟାଳୟକୁ ରିପୋର୍ଟ ମଗା ଯାଇଥିଲା। ମାତ୍ର ପ୍ରମୁଖ ସମସ୍ୟା ଶିକ୍ଷକ ଅଭାବ ପ୍ରତି କେହି ଦୃଷ୍ଟି ଦେଲେନାହିଁ। ଏଭଳି ଶିକ୍ଷକ ଅଭାବ ସମସ୍ୟା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ।
ବିଦ୍ୟାଳୟରେ ନବମରେ ୧୨୨ ଓ ଦଶମରେ ୧୨୬ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ ଶିକ୍ଷାଦାନ କରିବାକୁ ମୋଟ ୬ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଥିବାବେଳେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଫଳରେ ସେମାନଙ୍କ ମଧ୍ୟରୁ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟୀତ୍ୱ ତୁଲାଇବା ସହ ୧୦୦ ଶଯ୍ୟା ବିଶିଷ୍ଟ ୨ଟି ହଷ୍ଟେଲ କଥା ବୁଝୁଛନ୍ତି। ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରୁ ଜଣେ ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ବେହେରାଙ୍କୁ ସୁଜାମାଜୁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ଦିନ ଅତିରିକ୍ତ ଶିକ୍ଷାଦାନ ପାଇଁ ନିର୍ଦ୍ଦେଶ ରହିଛି। ବିଜ୍ଞାନ ଶିକ୍ଷୟିତ୍ରୀ ଅଞ୍ଜଳୀ ପ୍ରଧାନଙ୍କୁ ମଧ୍ୟ କିରୁକୁଟି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୨ଦିନ ଯିବାକୁ ପଡ଼ୁଛି। ଫଳରେ ସିମନବାଡ଼ି ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଯଦି ଉକ୍ତ ବିଦ୍ୟାଳୟର କେବଳ ଦୁଇଟି ଶ୍ରେଣୀକୁ ସେକ୍ସନ କରାଯାଏ ତେବେ ୬ ଜଣ ଶିକ୍ଷକଙ୍କ ଠାରୁ ଅଧିକ ଅବଶ୍ୟକ। ମାତ୍ର ଶିକ୍ଷକ ଅଭାବରୁ ନବମ ଏବଂ ଦଶମରେ ଗୋଟିଏ ଶ୍ରେଣୀରେ ୧ଶହରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ବସି ପାଠ ପଢ଼ୁଛନ୍ତି। ଶିକ୍ଷକଙ୍କୁ ଅନ୍ୟତ୍ର ପଠା ନ ଯିବାକୁ ଛାତ୍ରୀଛାତ୍ର ଅଭିଭାବକ ଦାବି କରିଛନ୍ତି। ସେପଟେ ଦୁଇ ଦୁଇଟି ବିଦ୍ୟାଳୟରେ ପଢାଉଥିବା ଶିକ୍ଷୟିତ୍ରୀଶିକ୍ଷକମାନେ ଅଭିଭାବକଙ୍କ ରୋଷର ଶୀକାର ହେଉଛନ୍ତି। ୨୦୧୬ରେ ଶିକ୍ଷକ ଅଭାବ ଯୋଗୁ ଅତିରିକ୍ତ ଶିକ୍ଷାଦାନ ପାଇଁ ସାମୁହିକ ନିର୍ଦ୍ଦେଶ କିଛିଦିନ ପାଇଁ କରାଯାଇଥିଲା। ମାତ୍ର ୪ ବର୍ଷ ହେଲା ଏହା ଚାଲିଛି।
ଏନେଇ କନ୍ଧମାଳ ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ସହ ଯେଗାଯୋଗ କରିବାରୁ ସେ କହିଛନ୍ତି ଯେ, ସେ ୨୦୧୬ରେ ରହିଥିବା ନିର୍ଦ୍ଦେଶ ସମ୍ପର୍କରେ ଜାଣି ନ ଥିଲେ, ଏବେ ଶୁଣିଲେ, ଶୀଘ୍ର ସମସ୍ୟାର ସମାଧାନ କରାଯାଇ ଶିକ୍ଷକ ମାନଙ୍କୁ ଅତିରିକ୍ତ ଦାୟିତ୍ୱରୁ ବିରତି ଦିଆଯିବ ବୋଲି କହିଛନ୍ତି। ଖାଲି ପଡ଼ିଥିବା ସୁଜାମାଜୁ ସମେତ ସମସ୍ତ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରୟାସ କରିବାକୁ ସେ କହିଛନ୍ତିି।