ସିମୁଳିଆରେ ବିଧାୟକଙ୍କ ଦ୍ୱିତୀୟ ପାଳି ରେକର୍ଡ: ‘ଜଳସେଚନ ଓ ଗମନାଗମନକୁ ଗୁରୁତ୍ୱ ଦେବି’

ଖଇରା/ସିମୁଳିଆ, ୨୪।୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସିମୁଳିଆ ନିର୍ବାଚନ ମଣ୍ଡଳୀରେ କୌଣସି ବିଧାୟକ ପୂର୍ବରୁ କ୍ରମାଗତ ଭାବେ ଦ୍ୱିତୀୟ ଥର ବିଜୟର ସ୍ବାଦ ଚାଖି ନ ଥିଲେ। ନିର୍ବାଚନ ଫଳାଫଳ ଘୋଷଣା ପରେ ଜ୍ୟୋତିପ୍ରକାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି , ନିର୍ବାଚନମଣ୍ଡଳୀ ଅଧୀନ ଖଇରା ଓ ସିମୁଳିଆ ବ୍ଲକରେ ଜଳସେଚନ, ଗମନାଗମନ, ଶିକ୍ଷାକୁ ପ୍ରାଥମିକତା ଦେବା ସହ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରବେ। ତାଙ୍କର ଏହି ବିଜୟ ଲାଗି ସେ ସିମୁଳିଆ ନିର୍ବାଚନ ମଣ୍ଡଳୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଉଲ୍ଲେଖନୀୟ ଯେ, ଜ୍ୟୋତିପ୍ରକାଶ ୨୦୧୪ ନିର୍ବାଚନ ଲଢି ତତ୍‌କାଳୀନ କଂଗ୍ରେସ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କୁ ୭ହଜାର ଭୋଟରେ ପରାସ୍ତ କରିଥିଲେ। ଏଥର ଭାଜପା ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କୁ ସେ ୧୪ହଜାର ୯୫୯ଖଣ୍ଡ ଭୋଟରେ ପରାସ୍ତ କରି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ଗୁରୁବାର ଫଳାଫଳ ପ୍ରକାଶ ପାଇବା ପରେ ଜ୍ୟୋତିପ୍ରକାଶଙ୍କ ସମର୍ଥକମାନେ ରାତି ସାରା ବାଣ ଫୁଟାଇ ଖୁସି ମନାଇଥିଲେ।  ଶୁକ୍ରବାର ସକାଳେ ସେ ବାଲେଶ୍ୱର ପି.ଡି.ଙ୍କ ନିକଟରୁ ବିଧାୟକ ପ୍ରମାଣପତ୍ର ଗ୍ରହଣ କରିଥିଲେ। ପରେ ଉଭୟ ଖଇରା ଓ ସିମୁଳିଆ ବ୍ଳକରୁ ବିଭିନ୍ନ ଶୁଭେଚ୍ଛୁ ସମର୍ଥକ ଆସି ବାସଭବନରେ ତାଙ୍କୁ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ସମର୍ଥକମାନଙ୍କ ଗହଣରେ ଜ୍ୟୋତି ପ୍ରକାଶ ଶୋଭାଯାତ୍ରା କରି ବିଭିନ୍ନ ଅଞ୍ଚଳ ବୁଲିଥିଲେ।

Share