Categories: ଜାତୀୟ

ସିମ୍ପାଞ୍ଜିକୁ ଜବତ କଲା ଇଡି

ନୂଆଦିଲ୍ଲୀ,୨୨ା୯(ପି.ଟି.): ବନ୍ୟଜନ୍ତୁ ଚୋରା କାରବାର କରୁଥିବା ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଚଢ଼ାଉ କରି ୩ଟି ସିମ୍ପାଞ୍ଜି ଓ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ୪ଟି ମାଙ୍କଡ଼ ଜବତ କରିଛି। କୌଣସି ତଦନ୍ତକାରୀ ସଂସ୍ଥା ଜୀବଜନ୍ତୁ ଜବତ କରିବା ଏହା ପ୍ରଥମ ଘଟଣା। ଏକ ଗୁରୁତର ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ପିଏମ୍‌ଏଲ୍‌ଏ ଆଇନରେ ଉପରୋକ୍ତ ଜୀବଜନ୍ତୁଙ୍କୁ ଜବତ କରିଛି। ଚୋରାବେପାରୀ ସେମାନଙ୍କୁ ବାହାରକୁ ନେଇଯିବା ପାଇଁ ଉଦ୍ୟମ ଚଳାଇଥିଲା। ଜୀବଜନ୍ତୁଙ୍କୁ କୋଲକାତା ଚିଡିଆଖାନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଜବତ ହୋଇଥିବା ୩ ସିମ୍ପାଞ୍ଜି ଆଲିପୁର ଜୁଲୋଜିକାଲ ଗାର୍ଡେନରେ ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏବଂ ରାଜସ୍ବର ଉତ୍ସ ଥିଲେ ବୋଲି ଇଡି କହିଛି। ୭ଟି ଜୀବଙ୍କ ମୂଲ୍ୟ ୮୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରତି ସିମ୍ପାଞ୍ଜିଙ୍କ ମୂଲ୍ୟ ୨୫ ଲକ୍ଷ ହୋଇଥିବାବେଳେ ଦକ୍ଷିଣ ଆମେରିକାରେ ଦେଖାଦେଉଥିବା କ୍ଷୁଦ୍ର ପ୍ରଜାତିର ମାଙ୍କଡ଼ ଦାମ୍‌ ୧.୫ ଲକ୍ଷ ଟଙ୍କା। ଚୋରାବେପାରୀ ସୁପ୍ରଦୀପ ଗୁହା ଏହି ବନ୍ୟଜନ୍ତୁମାନଙ୍କୁ ବେଆଇନ ଭାବେ ରଖିଥିବା ପଶ୍ଚିମବଙ୍ଗ ସରକାରଙ୍କ ଅଭିଯୋଗକ୍ରମେ ଏହି ତଦନ୍ତ କରାଯାଇଥିଲା। ତାଙ୍କ ବିରୋଧରେ ରାଜ୍ୟ ପୋଲିସ ଜାଲିଆତି ମାମଲା ରୁଜୁ କରିଛି। ସେ ଜାଲ୍‌ ଅନୁମତି ପତ୍ର ବ୍ୟବହାର କରି ବେଆଇନ ଭାବେ ବନ୍ୟ ଜୀବଜନ୍ତୁ ପରିବହନ କରୁଥିଲେ। ପୋଲିସ ଏତଲା ଆଧାରରେ ଇଡି ପିଏମ୍‌ଏଲ୍‌ଏରେ ମାମଲା ରୁଜୁ କରିଥିଲା। ଗୁହା ବନ୍ୟପ୍ରାଣୀ ଚୋରା କାରବାର ର଼୍ୟାକେଟ ଚଳାଇଥିବା ତଦନ୍ତରୁ ଜଣାପଡିଥିଲା। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସେ ବହିଃଶୁଳ୍କ ବିଭାଗ ଓ ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କ ନିକଟରେ ଭିନ୍ନ ଭିନ୍ନ ବୟାନ ରେକର୍ଡ କରାଇଥିଲେ। ସିମ୍ପାଞ୍ଜିଗୁଡିକ ଭାରତରେ ଜନ୍ମ ହୋଇଥିବାର ଜାଲ୍‌ ସାର୍ଟିଫିକେଟ ମଧ୍ୟ ସେ ସଂଗ୍ରହ କରିଥିଲେ।

Share