Categories: ଖେଳ

ସିରିଜ୍‌ କ୍ଲିନ ସୁଇପ ନିକଟତର ଭାରତ

କିଙ୍ଗ୍‌ଷ୍ଟନ,୨।୯: ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ସିରିଜ୍‌ କ୍ଲିନ ସୁଇପ କରିବାର ନିକଟତର ହୋଇଛି। ପ୍ରଥମ ଇନିଂସରେ ଭାରତ ୪୧୬ ରନ୍‌ କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୧୧୭ ରନ୍‌ରେ ସୀମିତ ରହିଥିଲା। ୨୯୯ ରନ୍‌ର ଅଗ୍ରଣୀ ସତ୍ତ୍ୱେ ଟିମ ଇଣ୍ଡିଆ ଅଧିନାୟକ ଫଲୋଅନ୍‌ ନ ଡାକି ଦ୍ୱିତୀୟ ଇନିଂସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟ ଇନିଂସ ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୫୭ ରନ୍‌ ମଧ୍ୟରେ ଲୋକେଶ ରାହୁଲ (୬), ମୟଙ୍କ ଅଗ୍ରଓ୍ବାଲ (୪), ବିରାଟ କୋହଲି (୦) ଓ ଚେତେଶ୍ୱର ପୂଜାରା(୨୭)ଙ୍କ ଉଇକେଟ ହରାଇଥିଲା। ଏହିଠାରୁ ଅଜିଙ୍କ୍ୟ ରାହାନେ ଓ ପ୍ରଥମ ଇନିଂସରେ ଶତକ ଲଗାଇଥିବା ହନୁମା ବିହାରୀ ୫ମ ଉଇକେଟ ପାଇଁ ୧୧୧ ରନ୍‌ ଯୋଡ଼ିଥିଲେ। ଦଳୀୟ ସ୍କୋର ୪/୧୬୮ ହୋଇଥିବାବେଳେ କୋହଲି ପାଳି ଘୋଷଣା କରିଥିଲେ। ରାହାନେ ୬୪ ଓ ବିହାରୀ ୫୩ ରନ୍‌ କରି ଅପରାଜିତ ଥିଲେ। ଘରୋଇ ଦଳ ପକ୍ଷରୁ କେମାର ରୋଚ ୩ ଉଇକେଟ ଅକ୍ତିଆର କରିଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ ଦଳ ଆଗରେ ୪୬୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବିଶାଳ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଇଣ୍ଡିଜ ତୃତୀୟ ଦିବସ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୪୫ ରନ୍‌ କରିଛି। ମ୍ୟାଚ୍‌ରେ ଆଉ ଦୁଇ ଦିନ ବାକି ଥିବାବେଳେ ଦଳକୁ ବିଜୟୀ ପାଇଁ ବଳକା ୮ ଉଇକେଟରେ ଆଉ ୪୨୩ ରନ୍‌ ଦରକାର। ଷ୍ଟମ୍ପ ଅପସାରଣ ବେଳକୁ ଡାରେନ ବ୍ରାଭୋ ୧୮ ଓ ଶାମରା ବ୍ରୁକ୍ସ ୪ ରନ୍‌ କରି ଅପରାଜିତ ରହିଛନ୍ତି।

Share