Categories: ଖେଳ

ସିରିଜ୍‌ ଜିତିଲା ଭାରତୀୟ ମହିଳା ହକି ଦଳ

ଜିନଚେଓନ(କୋରିଆ),୨୨।୫- ପ୍ରଥମାର୍ଦ୍ଧ ସୁଦ୍ଧା ୦-୧ ଗୋଲରେ ପଛୁଆ ରହିବା ସତ୍ତ୍ୱେ ଭାରତୀୟ ମହିଳା ଦଳ ୨-୧ ବ୍ୟବଧାନରେ ଆୟୋଜକ ରିପବ୍ଲିକ କୋରିଆକୁ ହରାଇ ଦେଇଛି। ଏଥିସହ ଦ୍ୱିପାକ୍ଷିକ ସିରିଜ୍‌କୁ ୨-୦ରେ ଆଗୁଆ ଜିତି ନେଇଛି। ଏହି ମ୍ୟାଚ୍‌ରେ ଓଡ଼ିଆ ଖେଳାଳି ସୁନିତା ଲାକ୍ରା ଅନ୍ତର୍ଜାତୀୟ କ୍ୟାରିୟରର ୧୫୦ତମ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି।
ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ଦୁଇ ଦଳର ଗୋଲକିପରମାନେ ଭଲ ସେଭ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଆୟୋଜକ ଦଳ ଭାରତୀୟ ଡିଫେନ୍ସ ଭାଗ ଭେଦ କରିିବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍‌ର ୧୯ତମ ମିନିଟ୍‌ରେ ଲି ସେଉଙ୍ଗଜୁ ଫିଲ୍ଡ ଗୋଲ କରି କୋରିଆ ଦଳକୁ ଅଗ୍ରଣୀ ଆଣି ଦେଇଥିଲେ। ଜବାବରେ ତୃତୀୟ କ୍ୱାର୍ଟରରେ ଟିମ୍‌ ଇଣ୍ଡିଆ ଆକ୍ରମଣ କରିଥିଲା। ଅଧିନାୟିକା ରାଣୀ ରାମ୍‌ପାଲ ୩୭ତମ ମିନିଟ୍‌ରେ ଫିଲ୍ଡ ଗୋଲ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ନବଜୋତ କୌର (୫୦ତମ ମିନିଟ୍‌)ଙ୍କ ଗୋଲ ଯୋଗୁ ଭାରତ ୨-୧ରେ ମ୍ୟାଚ ଜିତି ନେଇଥିଲା। ଗତ ମ୍ୟାଚ୍‌ଠାରୁ ଆମର ପ୍ରଦର୍ଶନ ବହୁତ ଉନ୍ନତ ଥିଲା। ଖେଳାଳିମାନେ ସ୍ଥିର ପ୍ରଦର୍ଶନ କରିଥିଲେ। ଆମେ ଆହୁରି ଗୋଲ କରିପାରିଥାନ୍ତୁ ବୋଲି ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି। ସିରିଜ୍‌ର ୩ୟ ମ୍ୟାଚ୍‌ ୨୪ ତାରିଖରେ ଖେଳାଯିବ।

Share