Categories: ଖେଳ

ସିରିଜ୍‌ ମୂଳ ପୋଛ କଲା ଭାରତ

ମାଉଣ୍ଟ ମାଉଁଗାନୁଇ,୨।୨- ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଟିମ ଇଣ୍ଡିଆ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ମୂଳପୋଛ କରିଛି। ଏଠାରେ ଖେଳାଯାଇଥିବା ୫ମ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ଦଳକୁ ୭ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୬୩ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟକ ରୋହିତ ଶର୍ମା ୬୦, ଲୋକେଶ ରାହୁଲ ୪୫ ଓ ଶ୍ରେୟାସ ଆୟାର ୩୩ ରନ୍‌ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୧୭ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର (୫୩) ଓ ଟିମ ସିଫର୍ଟ (୫୦) ଚତୁର୍ଥ ଉଇକେଟ ପାଇଁ ୯୯ ରନ୍‌ର ଭାଗୀଦାରି କରି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। କିନ୍ତୁ ପୁଣି କ୍ରମାଗତ ବ୍ୟବଧାନରେ ଉଇକେଟ ପତନ ହେବାରୁ ଦଳ ପଥହରା ହୋଇଯାଇଥିଲା। ଶେଷ ଆଡ଼କୁ ଇଶ ସୋଧି (୧୬) ଛୋଟିଆ ବିସ୍ଫୋରକ ଇନିଂସ ଖେଳିଥିଲେ। କିନ୍ତୁ ତାହା ଯଥେଷ୍ଠ ନ ଥିଲା। ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୫୬ ରନ୍‌ କରିଥିଲା। ବିଜୟୀ ଦଳ ପାଇଁ ଯଶପ୍ରୀତ ବୁମରା ୩ ଉଇକେଟ ହାତେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ଓ ନବଦୀପ ସଇନି ଦୁଇଟି ଲେଖାଏ ସଫଳତା ହାସଲ କରିଥିଲେ।

Share