Categories: ଖେଳ

ସିରିଜ୍‌ ହାରିଲା ଭାରତ ଏ’

ଖ୍ରୀଷ୍ଟଚର୍ଚ୍ଚ,୨୬।୧- ଏଠାରେ ରବିବାର ଖେଳାଯାଇଥିବା ତୃତୀୟ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏ’ ୫ ରନ୍‌ରେ ଭାରତ ଏ’କୁ ହରାଇ ଦେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଘରୋଇ ନ୍ୟୁଜିଲାଣ୍ଡ ଏ’ ୨-୧ ବ୍ୟବଧାନରେ ଜିତିନେଇଛି। ୨୭୧ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭ୍ରମଣକାରୀ ଭାରତୀୟ ଦଳକୁ ମ୍ୟାଚ୍‌ ଜିତିବା ପାଇଁ ଅନ୍ତିମ ଓଭରରେ ୭ ରନ୍‌ ଦରାକାର ଥିଲା। ସେତେବେଳେ ଭାରତ ଏ’ ୮ ଉଇକେଟ ହରାଇ ସାରିଥିବାବେଳେ ଇଶାନ କିଷନ ୭୦ ରନ୍‌ କରି ଅପରାଜିତ ଥିଲେ। ମାତ୍ର ଓଭରର ଦ୍ୱିତୀୟ ବଲରେ କିଷନ ଏକ ସିଙ୍ଗଲ ନେଇଥିଲେ। ପରବର୍ତ୍ତୀ ଦୁଇ ବଲରେ ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍‌ ହୋଇଥିଲେ। ଫଳରେ ୪୯.୪ ଓଭରରେ ୨୬୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ଇନ ଫର୍ମ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ୫୫, ରୁତୁରାଜ ଗାଏକ୍ୱାଡ ୪୪ ଓ ଅକ୍ଷର ପଟେଲ ୩୨ ରନ୍‌ କରିଥିଲେ। ବିଜୟୀ ଦଳ ପକ୍ଷରୁ କାଇଲ ଜେମିସନ ୪ ଓ ଏଜାଜ ପଟେଲ ୩ ଉଇକେଟ ହାତେଇଥିଲେ। ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ମାର୍କ ଚାପମ୍ୟାନ ୧୧୦ ଓ ଟଡ ଆଶଲେଙ୍କ ୫୬ ରନ୍‌ର ଇନିଂସ ଯୋଗୁ ଧାର୍ଯ୍ୟ ୫୦ ଓଭରରେ ୭ ଉଇକେଟ ହରାଇ ୨୭୦ ରନ୍‌ କରିଥିଲା। ଭାରତ ଲାଗି ବୋଲିଂରେ ଇଶାନ ପୋରେଲ ୩ ଓ ରାହୁଲ ଚହର ୨ ଉଇକେଟ ହାସଲ କରିଥିଲେ।

Share