Categories: ଖେଳ

ସିରିଜ କବ୍‌ଜା କଲା ଭାରତ-ଏ

ଥିରୁଭାନନ୍ତପୁରମ, ୨।୯ (ପି.ଟି.)- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ୩ୟ ଅନ୍‌ଅଫିସିଆଲ୍‌ ଦିନିକିଆ ମ୍ୟାଚ୍‌କୁ ଭାରତ-ଏ ୪ ଉଇକେଟ୍‌ରେ ଜିତିନେଇଛି। ପୂର୍ବରୁ ପ୍ରଥମ ଓ ୨ୟ ଦିନିକିଆ ଜିତିଥିବା ଭାରତ-ଏ ଏଥିସହ ସିରିଜକୁ ୩-୦ରେ ଆଗୁଆ କବ୍‌ଜା କରିନେଇଛି। ସିରିଜର ୪ର୍ଥ ମ୍ୟାଚ୍‌ ବୁଧବାର ଏହି ଗ୍ରାଉଣ୍ଡରେ ଖେଳାଯିବ।
ବାଧାପ୍ରାପ୍ତ ଯୋଗୁ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌କୁ ୩୦ ଓଭର ବିଶିଷ୍ଟ କରାଯାଇଥିଲା। ଦକ୍ଷିଣ ଆଫ୍ରିକା-ଏ ଅଧିନାୟକ ତେମ୍ବା ବାଭୁମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଉଇକେଟ୍‌କିପର ହେନରୀ କ୍ଲାସେନ (୪୪ ରନ୍‌, ୨୧ ବଲ୍‌)ଙ୍କ ଦ୍ରୁତ ବ୍ୟାଟିଂ ସାଙ୍ଗକୁ ଓପନର୍‌ ଜାନେମନ୍‌ ମଲାନ (୩୭ ରନ), ମାଥ୍ୟୁ ବ୍ରିତଜକେ (୩୬) ଓ ବାଭୁମା (୨୭)ଙ୍କ ଉପଯୋଗୀ ଇନିଂସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍‌ ହରାଇ ୨୦୭ ରନ୍‌ ସଂଗ୍ରହ କରିଥିଲା। ଭାରତ-ଏ ପକ୍ଷରୁ ଦୀପକ ଚହର ଓ କ୍ରୁନାଲ ପାଣ୍ଡ୍ୟା ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଭାରତ-ଏ ପ୍ରାରମ୍ଭରୁ ଓପନର୍‌ ଋତୁରାଜ ଗାଏକ୍ୱାଡ (୧) ଓ ରିକି ଭୁଇ (୦)ଙ୍କ ଉଇକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ମନୀଷ ପାଣ୍ଡେ (୮୧ ରନ୍‌, ୫୯ ବଲ୍‌, ୩ ଚୌକା, ୫ ଛକା)ଙ୍କ ଅଧିନାୟକତ୍ୱ ଇନିଂସ ବଳରେ ଦଳ ୨୭.୫ ଓଭରରେ ୬ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉଇକେଟ୍‌କିପର ଇଶାନ କିଶାନ ୪୦, ଶିଭମ ଦୁବେ ୪୫* ଏବଂ କ୍ରୁନାଲ ପାଣ୍ଡ୍ୟା ଓ ନୀତୀଶ ରାଣା ୧୩ ରନ ଲେଖାଏ କରିଥିଲେ। ଏନ୍‌ରିଚ୍‌ ନର୍ଟେଜ ଓ ଜର୍ଜ ଲିଣ୍ଡେଙ୍କୁ ୨ଟି ଲେଖାଏ ଉଇକେଟ୍‌ ମିଳିଥିଲା। ମ୍ୟାଚ୍‌ ବିଜୟୀ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଲାଗି ମନୀଷ ପାଣ୍ଡେଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ଏ’- ୨୦୭/୮, ୩୦ ଓଭର (କ୍ଲାସେନ ୪୪, ମଲାନ ୩୭, ଖୟା ଜୋଣ୍ଡୋ ୨୧, କ୍ରୁନାଲ ୨/୨୩, ଦୀପକ ୨/୪୨)।
ଭାରତ ଏ’- ୨୦୮/୬, ୨୭.୫ ଓଭର (ପାଣ୍ଡେ ୮୧, ଦୁବେ ୪୫*, ଇଶାନ ୪୦, ଅକ୍ଷର ପଟେଲ ୭*, ନର୍ଟେଜ ୨/୪୧)।

Share