ସିରିଜ ଚୋରି ଘଟଣା : ମାଷ୍ଟରମାଇଣ୍ଡ ଗିରଫ, ଅଳଙ୍କାର ଓ ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୨୧।୭: ସଦର ଥାନା ପୋଲିସ ଫେରାର ଥିବା ଏକ ପେସାଦାର ଚୋର ତଥା ସିରିଜ ଚୋରି ଘଟଣାର ମାଷ୍ଟରମାଇଣ୍ଡ ରାମ ବେଲମା (୧୯)ଙ୍କୁ ଶନିବାର ଅପରାହ୍ନରେ ଗିରଫ କରିଛି। ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଛି। ଏକ ଟିଭିଏସ ସ୍କୁଟି,୨୫ ହଜାର ଟଙ୍କା, ୩ଟି ସୁନା ମୁଦି, ସୁନା କାନଫୁଲ ୨ ହଳ, ସୁନା କାନଝରା ୨ ଟି, ରୁପା ମୁଦି ୩ ଟି, ରୁପା ଗିନା ଗୋଟିଏ,ରୁପା ମୁଦ୍ରା ୩ଟି ଜବତ କରାଯାଇଛି। କେସ ନମ୍ବର ୧୪୬/୧୯ରେ ଅଭିଯୁକ୍ତ ରାମ ବେଳମାଙ୍କୁ ଶନିବାର ରାତିରେ କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଏସଡିପିଓ ଜୟନ୍ତ ମହାପାତ୍ର ରବିବାର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ଜୁନ ୯ ତାରିଖରେ ଲୋଚାପଡ଼ା ଅଞ୍ଚଳରେ ରହୁଥିବା ଡାକ୍ତର ଭବାନୀ ଶଙ୍କର ଶତପଥୀଙ୍କ ଘରେ ଚୋରଦଳ କଳାକନା ବୁଲାଇଥିଲେ। ଡାକ୍ତରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିସି ଟିଭି ଫୁଟେଜ୍‌ ଯାଞ୍ଚ ବେଳେ ଏହି ଚୋରି ଘଟଣାରେ ୩ ଜଣ ସାମିଲ ଥିବା ଜଣାପଡ଼ିଥିଲା। କିଛିଦିନ ତଳେ ବଡ଼ବଜାର ପୋଲିସ ଏକ ଚୋରି ଘଟଣାରେ ଜଣେ ନାବାଳକଙ୍କୁ ଧରି ଜୁଭେନାଇଲ ଜଷ୍ଟିସ ବୋର୍ଡକୁ (ଜେଜେବି) ପଠାଇଥିଲା। ସେହିପରି ଅନ୍ୟ ଏକ ଚୋରି ଘଟଣାରେ ସଦର ଥାନା ପୋଲିସ ସନ୍ତୋଷ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପେସାଦାର ଚୋର ରାମ ବେଲମାଙ୍କୁ ପୋଲିସ କାବୁ କରି ଜେରାବେଳେ ଉପରୋକ୍ତ ୨ ଅଭିଯୁକ୍ତ ଡାକ୍ତରଙ୍କ ଘରେ ହୋଇଥିବା ଚୋରି ଘଟଣାରେ ସାମିଲ ଥିବା ପୋଲିସକୁ ସେ କହିଥିଲେ। ପୋଲିସ ଏବେ ସେମାନଙ୍କ ନାମରେ କୋର୍ଟରେ ରିମାଣ୍ଡ ରିପୋର୍ଟ ଦାଖଲ କରିବ ବୋଲି କହିଛି। ରାମ ବେଲମାଙ୍କ ନାମରେ ବଡ଼ବଜାର ଥାନା, ଟାଉନ ଥାନା ଓ ବୈଦ୍ୟନାଥପୁର ଥାନା ଇଲାକାରେ ପୃଥକ୍‌ ପୃଥକ୍‌ ଚୋରି ଘଟଣାରେ ସଂପୃକ୍ତି ଥିବା ଏସ୍‌ଡିପିଓ ମହାପାତ୍ର ସୂଚନା ଦେଇଛନ୍ତି।

Share