Categories: ମେଟ୍ରୋ

ସିଲିଣ୍ଡରରୁ ଗ୍ୟାସ୍‌ ଖୋଲୁଥିବାବେଳେ ଲାଗିଲା ନିଆଁ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ନୂଆ ସିଲିଣ୍ଡରରୁ ଗ୍ୟାସ୍‌ ବାହାର କରୁଥିଲେ ମେକାନିକ। ହଠାତ୍‌ ଲାଗିଯାଇଥିଲା ନିଆଁ। କିଛି ବୁଝିବା ପୂର୍ବରୁ ନିଆଁ ଭିତରେ ରହିଯାଇଥିଲେ ମେକାନିକ ସମେତ ବସ୍ତିର ୫ଜଣ। ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆର୍‌ପିଏଫ୍‌ ଛକ ନିକଟ ମୁଣ୍ଡାସାହି ବସ୍ତିରେ ଗୁରୁବାର ଘଟିଛି ଏହି ଘଟଣା। ନିଆଁରେ ପୋଡ଼ି ହୋଇଥିବା ୬ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ମଙ୍ଗୁଳି ସିଂ, ନୀତୀଶ ହେମ୍ବ୍ରମ୍‌, କିରଣ ତିରିଆ, ବଳି ହେମ୍ବ୍ରମ୍‌, ବନବାସୀ ଘଡେଇ ଓ ଜଣେ ଗ୍ୟାସ୍‌ ମେକାନିକ। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଖୋଳତାଡ଼ ଆରମ୍ଭ କରିଛି।
ମିଳିଥିବା ସୂଚନାନୁଯାୟୀ, ମୁଣ୍ଡାସାହିର କାମିନୀ ପାଳିଆ ଗୁରୁବାର ସକାଳେ ପୋଖରୀପୁଟସ୍ଥିତ ଏକ ଗ୍ୟାସ୍‌ ଏଜେନ୍ସିରୁ ନୂଆ ଗ୍ୟାସ୍‌ ଘରକୁ ଆଣିଥିଲେ। ଗ୍ୟାସ୍‌ ସଂଯୋଗ କରିଥିଲେ ମଧ୍ୟ ତାହା ଜଳି ନ ଥିଲା। ପରିବାର ଲୋକେ ଗ୍ୟାସ୍‌ ଏଜେନ୍ସକୁ ଫୋନ୍‌ କରି ଜଣାଇଥିଲେ। ଟାଙ୍କିରେ ଆବଶ୍ୟକଠାରୁ ଅଧିକ ଗ୍ୟାସ୍‌ ଥିବାରୁ ଏଭଳି ହେଉଥିବା କହି ଜଣେ ମେକାନିକଙ୍କୁ ସେଠାକୁ ପଠାଇଥିଲେ। ମେକାନିକ ଜଣକ ସିଲିଣ୍ଡରକୁ ଘର ବାହାରେ ରଖି ଗ୍ୟାସ୍‌ ବାହାର କରୁଥିଲେ। ନିକଟରେ ପଡୋଶୀ ଘରର ଲୋକେ ଚୁଲିରେ ରୋଷେଇ କରୁଥିଲେ। ଏହି ସମୟରେ ଚୁଲିରୁ ନିଆଁ ହଠାତ୍‌ ଲିକେଜ୍‌ ଗ୍ୟାସ୍‌ ସହ ସିଲିଣ୍ଡରରେ ଲାଗି ଯାଇଥିଲା। ଗ୍ୟାସ୍‌ ନିକଟରେ ଥିବା ୫ଜଣଙ୍କ ସହ ମେକାନିକ ପୋଡି ଯାଇଥିଲେ। ତେବେ ସବୁଠୁ ବଡ଼କଥା ହେଲା ନିଅଁା ଲାଗିଯିବା ପରେ ମେକାନିକ ଉପସ୍ଥିତ ବୁଦ୍ଧି ଲଗାଇ ଗ୍ୟାସ୍‌ ସିଲିଣ୍ଡରର କ୍ୟାପ୍‌ ବନ୍ଦ କରିଦେଇଥିଲେ। ଫଳରେ ବଡ଼ଧରଣର ବିପଦ ଟଳି ଯାଇଥିଲା। ଏହାପରେ ମେକାନିକ ଜଣକ ଆହତ ଅବସ୍ଥାରେ ଦୌଡ଼ି ପଳାଇଥିବାବେଳେ ଅନ୍ୟମାନେ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ବସ୍ତିର ଅନ୍ୟ ଲୋକମାନେ ପହଞ୍ଚତ୍ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଉପଭୋକ୍ତାଙ୍କୁ ଗ୍ୟାସ୍‌ ସରଞ୍ଜାମ ଦେବାବେଳେ ଯାଞ୍ଚ୍‌ କରି ଦିଆଯିବାର ନିୟମ ରହିଛି। କିନ୍ତୁ ତାହା କରାଯାଇ ନ ଥିବାରୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଏଥିପାଇଁ ବସ୍ତିବାସିନ୍ଦା ଗ୍ୟାସ୍‌ ଏଜେନ୍ସିକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ବସ୍ତିରେ ଅଧିକାଂଶ ଚାଳିଆ ଓ ଜରିପାଲ ଘର ରହିଛି। ନିଆଁ ବ୍ୟାପିଥିଲେ ନିଶ୍ଚିତ ବଡ଼ ଦୁର୍ଘଟଣା ଘଟିଥାନ୍ତା। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆହତଙ୍କୁ ମାଗଣା ଚିକିତ୍ସା ସହ ଅନ୍ୟ ସହାୟତା ଯୋଗାଇ ଦେବାକୁ ବସ୍ତି ବାସିନ୍ଦା ଦାବି କରିଛନ୍ତି।

Share