ସିଲ୍‌ ଖୋଲି କାଠଡିପୋରେ ଯାଞ୍ଚ

ଭଦ୍ରକ ଅଫିସ, ୭।୧୨- ଭଦ୍ରକ ଜିଲା ବନ ବିଭାଗ ପକ୍ଷରୁ ଶନିବାର ଭଦ୍ରକ ସହରର ସାମରାଇପୁରରେ ଥିବା ସରକାରୀ ଲକ୍ଷ୍ମୀନାରାୟଣ କାଠଡିପୋର ସିଲ୍‌ ଖୋଲି ଷ୍ଟକ ଯାଞ୍ଚ କରାଯାଇଛି। ଏହି ଡିପୋରେ ଗୁରୁବାର ରାତି ପ୍ରାୟ ୨ଟା ବେଳେ ବନ ବିଭାଗ ଚଢ଼ାଉ କରି କ୍ଷମତାଠାରୁ ଅଧିକ ଓ ବେଆଇନ ଭାବେ କାଠ ଗଚ୍ଛିତ ଥିବା ସନ୍ଦେହରେ ଏହାକୁ ସିଲ୍‌ କରିଥିଲା। ଶନିବାର ମଧ୍ୟାହ୍ନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉକ୍ତ ଡିପୋର ସିଲ୍‌ ଖୋଲି ଷ୍ଟକ୍‌ ଯାଞ୍ଚ ଆରମ୍ଭ କରିଥିଲେ। ଡିପୋର ଦୁଇଟି ଗୃହରେ ଏତେ ପରିମାଣରେ କାଠ ମହଜୁଦ ଥିବା ଦେଖି ବନବିଭାଗ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବେଆଇନ ଭାବେ ଏହି କାଠଡିପୋରେ କେତେ କାଠ ଗଚ୍ଛିତ ରହିଛି ତାହା ମାପଚୁପ ପରେ ଜଣାପଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ଯାଞ୍ଚ ଜାରି ରହିଥିବାରୁ ଠିକ୍‌ ଆକଳନ କରାଯାଇପାରି ନ ଥିବା କୁହାଯାଇଥିଲା। ଡିଏଫ୍‌ଓ ପୂର୍ଣ୍ଣିମା ପାଣ୍ଡିଅନ, ଏସିଏଫ୍‌ ବିରାଜ ମୋହନ ମହାନ୍ତି, ରେଞ୍ଜର ରଞ୍ଜିତ ମହାନ୍ତିଙ୍କ ସମେତ ଭଦ୍ରକ ବନାଞ୍ଚଳ କର୍ମକର୍ତ୍ତା ଚଢ଼ାଉ ବେଳେ ଉପସ୍ଥିତ ରହି ଏତେ ପରିମାଣର କାଠ କିଭଳି ଓ କେଉଁଠୁ ଅଣାଯାଉଛି ତାହାର ଖୋଳତାଡ଼ କରିଥିଲେ।

Share