Categories: ବାଣିଜ୍ୟ

ସିସିଡିର ବକେୟା ଋଣ ହଜାର କୋଟିକୁ କମିବ

ନୂଆଦିଲ୍ଲୀ,୧୮-୮: ଲୋକପ୍ରିୟ କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ବକେୟା ଋଣ ଭାର ୧ ହଜାର କୋଟି ଟଙ୍କାକୁ ଖସି ଆସିବ ବୋଲି ଏହାକୁ ପରିଚାଳନା କରୁଥିବା କ୍ୟାଫେ ଡେ ଏଣ୍ଟରପ୍ରାଇଜେସ ପକ୍ଷରୁ ଶନିବାର ପ୍ରକାଶ କରାଯାଇଛି। ଷ୍ଟକ୍‌ ମାର୍କେଟକୁ ସୂଚନାଦେଇ କଫି ଡେ ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ କୁହାଯାଇଛି ଯେ, ସହଯୋଗୀ କମ୍ପାନୀ ତାଙ୍ଗଲିନ୍‌ ଡେଭଲପ୍‌ମେଣ୍ଟ ଲିମିଟେଡ ଅଧୀନରେ ଥିବା ଗ୍ଲୋବାଲ ଭିଲେଜ ଟେକ୍‌ ପାର୍କକୁ ୨୬୦୦ରୁ ୩୦୦୦ କୋଟି ଟଙ୍କାରେ ବିକ୍ରି କରିଦେବାକୁ ଘୋଷଣା କରାଯାଇସାରିଛି। ଏହା ବିକ୍ରି ହୋଇଯିବା ପରେ ଆସନ୍ତା ୪୫ ଦିନ ଭିତରେ ବକେୟା ଋଣ ୧ ହଜାର କୋଟି ଟଙ୍କାକୁ ଖସିଆସିବ। ଚଳିତବର୍ଷ ଜୁଲାଇ ୩୧ ସୁଦ୍ଧା ସିଡିଡି ଉପରେ ୩,୪୭୨ କୋଟି ଟଙ୍କାର ବକେୟା ଋଣ ରହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହାର ଅନ୍ୟ ଏକ ସହଯୋଗୀ କମ୍ପାନୀ ସିକାଲ ଲଜିଷ୍ଟିକ୍ସ ନିଜର କିଛି ସମ୍ପତ୍ତି ବିକ୍ରି କରିବାକୁ ଯୋଜନା କରିଛି। ଏହାଦ୍ୱାରା ସିକାଲ ଉପରେ ଥିବା ଋଣ ଭାର ଅନେକାଂଶରେ କମିଯିବ। ଏହି କମ୍ପାନୀ ଉପରେ ମୋଟ ୧୪୮୮ କୋଟି ଟଙ୍କାର ଋଣ ବକେୟା ରହିଛି। ସୂଚନାଥାଉ କି, ଗତମାସରେ ସିସିଡି ପ୍ରମୋଟର ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟା କରିଥିଲେ। ନଗଦ ସଙ୍କଟ ଏବଂ ଋଣପ୍ରଦାନକାରୀଙ୍କ ଚାପ ସହ୍ୟ କରି ନ ପାରି ସେ ଆମତ୍ହତ୍ୟା କରୁଛନ୍ତି ବୋଲି ନିଜ ପତ୍ରରେ ସିଦ୍ଧାର୍ଥ ଉଲ୍ଲେଖ କରିଥିଲେ।

Share