ସିସିଡି ପ୍ରତିଷ୍ଠାତାଙ୍କ ଓଡ଼ିଶା ଲିଙ୍କ୍‌: ଏମ୍‌ସିଏଲ୍‌ର ୨ ଖଣିରେ କାମ କରୁଛି ଲଜିଷ୍ଟିକ୍‌ କମ୍ପାନୀ

ଭୁବନେଶ୍ୱର,୧ା୮ (ବ୍ୟୁରୋ): ଋଣ ଚାପରେ ଆତ୍ମହତ୍ୟା କରିଥିବା କ୍ୟାଫେ କଫି ଡେ (ସିସିଡି) ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଓଡିଶା ଲିଙ୍କ୍‌ ରହିଛି। ତାଙ୍କର ସିକାଲ ଲଜିଷ୍ଟିକ କମ୍ପାନୀ ରାଜ୍ୟର ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ(ଏମ୍‌ସିଏଲ୍‌)ର ୨ ଖଣିରେ ଏବେ କାର୍ଯ୍ୟ କରୁଛି। ତାଳଚେରର ହିଙ୍ଗୁଳା କୋଇଲା ଖଣିରେ ୨୬.୭୨ ନିୟୁତ ଟନ୍‌ କୋଇଲା ଉତ୍ତୋଳନ ଲାଗି ୩୬୩ କୋଟି ଟଙ୍କାର କଣ୍ଟ୍ରାକ୍ଟ କମ୍ପାନୀ ଲାଭ କରିଥିଲା। ସେହିଭଳି ଭରତପୁର କୋଇଲା ଖଣିରେ ୪୧ ନିୟୁତ ଟନ୍‌ ଉତ୍ତୋଳନ ଲାଗି ଏହି କମ୍ପାନୀକୁ ୨୮୮ କୋଟି ଟଙ୍କାର କଣ୍ଟ୍ରାକ୍ଟ ମିଳିଥିଲା ବୋଲି ସୂଚନା ରହିଛି। ଏହି ମଲ୍ଟି ମୋଡାଲ ଲଜିଷ୍ଟିକ କମ୍ପାନୀ ରାଜ୍ୟରେ ଦୁଇ କଣ୍ଟ୍ରାକ୍ଟ ବାବଦରେ ପ୍ରାୟ ୭୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱର କାର୍ଯ୍ୟ ହାସଲ କରିଥିଲା। କୋଇଲା ଖଣିରେ ବିଭିନ୍ନ କାର୍ଯ୍ୟ ପାଇଁ ୨୦୧୭ରେ ଏମ୍‌ସିଏଲ୍‌ରୁ ଏହି କମ୍ପାନୀ ଲେଟର ଅଫ୍‌ ଆକ୍ସେପଟାନ୍ସ(ଏଲ୍‌ଓଏ) ଲାଭ କରିଥିଲା। ପୂର୍ବରୁ ଏହା ଲାଜୁକୁରା ଖଣିରେ ୬ ନିୟୁତ ଟନ୍‌ କୋଇଲା ଉତ୍ତୋଳନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୫୦ କୋଟି ଟଙ୍କାର କାର୍ଯ୍ୟାଦେଶ ପାଇଥିଲା ବୋଲି ଜଣାପଡିଛି।

Share