ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ଶୁଭାରମ୍ଭ ଫ୍ୟୁଚର ସ୍କିଲର ବିଭିନ୍ନ ବିଭାଗରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ ଲକ୍ଷ୍ୟ: ସଭାପତି

ଭୁବନେଶ୍ୱର,୪ା୩: ଓଡ଼ିଶା ସରକାରଙ୍କ ଆଦେଶକ୍ରମେ ସି.ଭି.ରମଣ ଇଞ୍ଜିନିୟରିଂ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଭ କରିଛି। ଫେବୃୟାରୀ ୨୯ଠାରୁ ଏହାର ନୂତନ ନାମ ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି ହୋଇଛି। ଏଠାରେ ପ୍ରଥମ ୫ ବର୍ଷ ଷ୍ଟାର୍ଟ ଅପ, ଇନୋଭେଷନ ଏବଂ ଗବେଷଣାକୁ ପ୍ରାଥମିକତା ଦିଆଯିବ। ଫ୍ୟୁଚର ଅଫ୍‌ ସ୍କିଲର ସମସ୍ତ ବିଭାଗରେ ଅତ୍ୟାଧୁନିକ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା, ବିଶ୍ୱସ୍ତରୀୟ ଶିଳ୍ପ ସଂସ୍ଥା ସହ ମିଳିତ ହୋଇ ପାଠ୍ୟକ୍ରମ ଡିଜାଇନ ଏବଂ ଇଣ୍ଟର୍ନଶିପ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସଭାପତି ସଞ୍ଜୀବ କୁମାର ରାଉତ କହିଛନ୍ତି।
ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦେଇ ରାଉତ କହିଛନ୍ତି ଯେ, ଏମ୍‌ବିଏ ପାଠ୍ୟକ୍ରମରେ ଉଦ୍ୟୋଗ ବିକାଶ, ପରିଚାଳନା ଏବଂ ଉଡାଜାହାଜ ରାଜସ୍ବ ପରିଚାଳନା ବିଭାଗ ରହିବ। ନୂତନ ପାଠ୍ୟକ୍ରମ ଆରମ୍ଭ ଏବଂ ପୁରାତନର ଗୁଣାତ୍ମକ ମାନ ବୃଦ୍ଧି କରାଯିବ। ବିଦେଶର ଶିକ୍ଷାବିତଙ୍କୁ ନିଯୁକ୍ତି କରି ଅନୁଷ୍ଠାନର ଶୈଷିକ ପରିବେଶକୁ ଉନ୍ନତ କରାଯିବାର କାର୍ଯ୍ୟକ୍ରମ ରହିଥିବା ସେ ମତବ୍ୟକ୍ତ କରିଛନ୍ତି। ନୂଆ ପ୍ରତିଷ୍ଠାନରେ ଇଞ୍ଜିନିୟରିଂ, ବିଜ୍ଞାନ ଏବଂ କଳାବ୍ୟତୀତ ରୋବଟିକ୍ସ, ଡ୍ରୋନ ଟେକ୍ନୋଲୋଜି, ଓ୍ବାଟର ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି, କ୍ଲାଉଡ କମ୍ପ୍ୟୁଟିଂ, ପ୍ରିଣ୍ଟ ମିଡିଆ ଟେକ୍ନୋଲୋଜି, ଡିଜିଟାଲ ଫାକଟ୍ରି, ରୋବଟିକ୍ସ ଓ୍ବେଲବିଙ୍ଗ ଭଳି ପାଠ୍ୟକ୍ରମ ରହିବ। ଏହା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଭର୍ଚୁଆଲ ରିୟଲିଟି, ସ୍ପେଶ ଟେକ୍ନୋଲୋଜି, ମେକାଟ୍ରୋନିକ୍ସ, ଇଣ୍ଡଷ୍ଟ୍ରି ୫.୦, ମାନୁଫାକ୍‌ଚରିଂ ୪.୦, ଆଡିଟିଭ୍‌ ମାନୁଫାକଚରିଂ ଟେକ୍ନୋଲୋଜି, ଫୁଡ୍‌ ଟେକ୍ନୋଲୋଜି ଏବଂ ନାନୋ ଟେକ୍ନୋଲୋଜି ଭଳି ଅନ୍ୟ ସମସ୍ତ ବିଷୟରେ ଅଣ୍ଡର ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପ୍ରଦାନ କରାଯିବ ବୋଲି ରାଉତ ସ୍ପଷ୍ଟ କରିଛନ୍ତି।

Share