ସୀମାନ୍ତରେ ଗୁଳି ବିନିମୟ:୨ ମାଓବାଦୀ ନିହତ, ଜଣେ ଗିରଫ

ମାଲକାନଗିରି,୧୪ା୭ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ଜଣକୁ ଗିରଫ କରାଯାଇଛି। ଖବରରୁ ଜଣାପଡିଛି ଦାନ୍ତଓ୍ବୋଡା ଜିଲାରେ ମୁତୟନ ହୋଇଥିବା ପୋଲିସ ପକ୍ଷରୁ କିରଣ୍ଡୋଲ ଥାନା ଅନ୍ତର୍ଗତ ଗୁମିଆପାଲ ଜଙ୍ଗଲରେ ଏକ ସ୍ବତନ୍ତ୍ର ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ ଚାଲିଥିବା ବେଳେ ଲାଲବାହିନୀ ପକ୍ଷରୁ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବା ନେଇ ଯୋଜନା ଚାଲିଥିବା ଖବର ପୋଲିସକୁ ମିଳିଥିଲା। ଫଳରେ ପୋଲିସ ଅତର୍କିତ ଭାବେ ଜଙ୍ଗଲରେ ଚଢାଉ କରିବାରୁ ଏହା ଦେଖି ମାଓବାଦୀମାନେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ। ଉଭୟପକ୍ଷଙ୍କ ମଧ୍ୟରେ ୨ଘଣ୍ଟା ଧରି ଗୁଳିଚାଳନା ହେବା ପରେ ପୋଲିସର ଜବାବି କାର୍ଯ୍ୟାନୁଷ୍ଠାନର ମୁକାବିଲା ମାଓବାଦୀମାନେ କରି ପାରି ନ ଥିଲେ। ଫଳରେ ପୋଲିସ ଗୁଳିରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଥିବା ଜଣାପଡିଛି। ମୃତ ୨ ମାଓବାଦୀ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଦସ୍ୟ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରାଯାଇଛି। ୨ଟି ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ମୃତ୍ୟୁ ଘଟିଥିବା ମାଓବାଦୀଙ୍କ ପରିଚୟ ମିଳି ନାହିଁ। ଗିରଫ ହୋଇଥିବା ମହିଳା ମାଓବାଦୀଙ୍କ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଛି ବୋଲି ଦାନ୍ତଓ୍ବୋଡା ଏସ୍‌.ପି. ଅଭିଷେକ ପଲ୍ଲଭ କହିଛନ୍ତି। ଅନ୍ୟପକ୍ଷରେ ଅଧିକ ତଦନ୍ତ ଚାଲିଥିବାରୁ ପୋଲିସ ଗିରଫ ମହିଳା ମାଓବାଦୀଙ୍କ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛି।