‘ସୀମାନ୍ତରେ ଥିବା ବିଦ୍ୟାଳୟକୁ ବନ୍ଦ କରା ନ ଯାଉ’

ଭୋଗରାଇ, ୨୭।୯(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ଓ ରାଜ୍ୟ ବାହାରେ ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଗଣଶିକ୍ଷା ବିଭାଗ ଗାଇଡ଼ଲାଇନ୍‌ ଅନୁଯାୟୀ ସୀମାନ୍ତରେ ଥିବା କେତେକ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଦେବାକୁ ଚିନ୍ତା କରୁଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଓଡ଼ିଆ ଭାଷା ସାହିତ୍ୟ ସୁରକ୍ଷା ପାଇଁ ସୀମାନ୍ତବାସୀ ସ୍ଥାନୀୟ ଶିକ୍ଷାବିଭାଗ, ବିଧାୟକ ଓ ମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ବାଲେଶ୍ୱର ଜିଲା ସୀମାନ୍ତ ଭୋଗରାଇ ବ୍ଲକ ଅଧୀନ ଉପୁଳା ପ୍ରାଥମିକ ବିଦ୍ୟାଳୟ ଛାତ୍ର ଉପସ୍ଥାନ ସଂଖ୍ୟା କମ୍‌ଥିବାରୁ ଶିକ୍ଷା ବିଭାଗ ଏହି ସ୍କୁଲକୁ ବନ୍ଦ କରିବାକୁ ଜିଲା ଶିକ୍ଷାଧିକାରୀ ରାଜ୍ୟ ଉଚ୍ଚଶିକ୍ଷା କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନୋଟିସ୍‌ ଉକ୍ତ ବିଦ୍ୟାଳୟକୁ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ପଠାଯାଇଥିଲା। ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯିବା ପ୍ରତିବାଦରେ ସୀମାନ୍ତ ଗ୍ରାମବାସୀ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବିଧାୟକ ଦାସ ଏଭଳି ଘଟଣାକୁ ଗମ୍ଭୀର ସହ ଜିଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗର ସଚିବ ଓ ମନ୍ତ୍ରୀ ସମୀର ଦାସଙ୍କୁ ଅବଗତ କରାଇଛନ୍ତି। ଓଡ଼ିଆ ଭାଷା ସାହିତ୍ୟକୁ ଆଗକୁ ନେବା ଓ ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ନିମନ୍ତେ ଭୋଗରାଇ ବିଧାୟକ ସୀମାନ୍ତ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ସହିତ ଶିକ୍ଷକ ନିଯୁକ୍ତି କରିଛନ୍ତି। ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଓଡ଼ିଶା ସୀମାନ୍ତରେ ଥିବା ଉପୁଳା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବ ନାହଁି ବୋଲି ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଛନ୍ତି। ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କାଳେନ୍ଦୀ ସୋରେନଙ୍କୁ ଏହି ସ୍କୁଲକୁ ବନ୍ଦ ନ କରିବାକୁ କହିଛନ୍ତି।