ସୀମାନ୍ତରେ ପ୍ରବାସୀଙ୍କୁ ଅଟକାଅ: ହାଇକୋର୍ଟ

କଟକ ଅଫିସ,୨୯।୩: ସାରା ବିଶ୍ୱରେ ଏବେ କରୋନା ଆତଙ୍କ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଗରିବ ଏବଂ ଶ୍ରମିକ ଶ୍ରେଣୀୟ ଲୋକେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ନିଜ ରାଜ୍ୟକୁ ଫେରିଆସିବାକୁ ସେମାନେ ଚେଷ୍ଟା କରୁଛନ୍ତି। ଶହ ଶହ ସଂଖ୍ୟାରେ ଲୋକେ ବିଭିନ୍ନ ସୀମାରେ ଏକତ୍ରିତ ହେଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀମାନଙ୍କୁ ସୀମାନ୍ତରେ ଅଟକାଇବାକୁ ଓଡ଼ିଶା ହାଇକୋର୍ଟ ରବିବାର ନିର୍ଦ୍ଦେଶ ଦେଇଛନ୍ତି।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରବାସରୁ ରାଜ୍ୟକୁ ଫେରୁଥିବା ବ୍ୟକ୍ତିମାନଙ୍କ ପ୍ରସଙ୍ଗରେ ନିର୍ଦ୍ଦେଶ ଦେଇ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ ସମ୍ପୃକ୍ତ ଲୋକମାନଙ୍କୁ ସୀମାନ୍ତରେ ଅଟକାଯାଉ। ଉକ୍ତସ୍ଥାନରେ ହିଁ ସେମାନଙ୍କର ରହିବା ବ୍ୟବସ୍ଥା କରାଯାଉ। ଏପରିକି ଖାଇବାପିଇବା ବ୍ୟବସ୍ଥା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ବନ୍ଦ ଥିବା ସ୍କୁଲ ଓ କଲେଜରେ ରହିବାର ବ୍ୟବସ୍ଥା କରାଯାଉ। ରାଜ୍ୟର ଜିଲାଗୁଡ଼ିକ ଭିତରେ ମଧ୍ୟ ଏହି ନିୟମ ପାଳନ କରାଯାଉ ବୋଲି ସୀମାନ୍ତବର୍ତ୍ତୀ ଜିଲାର ଜିଲାପାଳ ଓ ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share