Categories: ଜାତୀୟ

ସୀମାନ୍ତ ଗାଁରେ ନେପାଳ ରେଡିଓ ଶୁଭୁଛି

ଡେରାଡୁନ/ପିଥୋରାଗଡ଼,୨୨ା୬: ଭାରତର ସୀମାନ୍ତ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନେପାଳ ନୂଆ ମାନଚିତ୍ରରେ ନିଜର ବୋଲି ଦାବି କରିବା ସହ ଆଉ କେତେକ ବଦମାସି ଆରମ୍ଭ କରିଛି। ଏବେ ସୀମାନ୍ତ ଗ୍ରାମଗୁଡ଼ିକରେ ନେପାଳର ରେଡିଓ ଫ୍ରିକ୍ୱେନ୍ସି ଆସୁଛି। ଫଳରେ ସେହି ଅଞ୍ଚଳର ଲୋକେ କାଠମାଣ୍ଡୁ ପକ୍ଷରୁ ଭାରତ ବିରୋଧୀ ଗୀତ ରେଡିଓରେ ଶୁଣିବାକୁ ପାଉଛନ୍ତି।
ନେପାଳୀ ପାର୍ଲାମେଣ୍ଟ ଶୁକ୍ରବାର ଏକ ନୂଆ ରାଜନୈତିକ ମାନଚିତ୍ରକୁ ମଞ୍ଜୁରୀ ଦେଇଥିଲା। ଏଥିରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ଅଞ୍ଚଳ ବୋଲି ସ୍ଥାନିତ କରିଥିଲା। ପଡ଼ୋଶୀ ଦେଶର ଏହି ପଦକ୍ଷେପକୁ ଭାରତ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏହାସତ୍ତ୍ୱେ ନେପାଳ ନିଜ ଦାବିକୁ ମଜଭୁତ କରିବା ପାଇଁ ବଦମାସି ଜାରି ରଖିଛି। ଉତ୍ତରାଖଣ୍ଡ ସୀମାର ପିଥୋରାଗଡ଼ସ୍ଥିତ ଧରଚୂଳ ସବ୍‌ଡିଭିଜନ ଅନ୍ତର୍ଗତ ଦାନ୍ତୁଆ ଗ୍ରାମର ଶାଲୁ ଦତାଲ ନାମକ ଜଣେ ବାସିନ୍ଦା କହିଛନ୍ତି, କେତେକ ନେପାଳୀ ଏଫ୍‌ଏମ୍‌ ରେଡିଓ ଚ୍ୟାନେଲ ନେପାଳୀ ଗୀତ ବଜାଉଛନ୍ତି। ଗୀତ ମଝିରେ ସେମାନେ ଭାରତ ବିରୋଧୀ ଭାଷଣ ମଧ୍ୟ ବଜାଇବାରେ ଲାଗିଛନ୍ତି। ସୀମାର ଉଭୟ ପଟରେ ରହୁଥିବା ଲୋକେ ନେପାଳୀ ଗୀତ ଶୁଣୁଥିବାରୁ ସେମାନେ ଗୀତ ମଝିରେ ନେପାଳୀ ମାଓବାଦୀ ନେତାମାନଙ୍କ ଭାରତ ବିରୋଧୀ ଭାଷଣ ଶୁଣିବାକୁ ପାଉଛନ୍ତି। ଗୀତ ଭିତରେ ସବୁଠୁ ବେଶି ଭାରତ ବିରୋଧୀ ବିଷୟ ନୟା ନେପାଳ ଓ କାଲାପାନି ଏଫ୍‌ଏମ୍‌ ରେଡିଓ ଷ୍ଟେଶନରୁ ଆସୁଛି। ମଲ୍ଲିକାର୍ଜୁନ ରେଡିଓ ଏବଂ ଅନ୍ନପୂର୍ଣ୍ଣା ଡଟ୍‌ ଅନ୍‌ଲାଇନ୍‌ ଭଳି କେତେକ ଓ୍ବେବ୍‌ସାଇଟ ମଧ୍ୟ କାଲାପାନିକୁ ନେପାଳ ଭୂଖଣ୍ଡ ବୋଲି ଦାବି କରି କାର୍ଯ୍ୟକ୍ରମ ପ୍ରସାର କରୁଥିବା ସେ ପ୍ରକାଶ କରିଛନ୍ତି।
ଏହି ଏଫ୍‌ଏମ୍‌ ରେଡିଓ ଷ୍ଟେଶନଗୁଡ଼ିକ ନେପାଳର ଧରଚୂଳ ଜିଲା ମୁଖ୍ୟାଳୟର ନିକଟସ୍ଥ ଚାବ୍ରିଗଡ଼ରେ ଅବସ୍ଥିତ। ଏହି ଷ୍ଟେଶନଗୁଡ଼ିକର ରେଞ୍ଜ ପ୍ରାୟ ୩ କି.ମି.। ସେଠାରୁ ପ୍ରସାରିତ କାର୍ଯ୍ୟକ୍ରମ ସୀମାର ଭାରତ ପଟେ ଥିବା ଧରଚୂଳ, ବାଲୁଆକୋଟ, ଜଉଲଜିବି ଓ କାଲିକାରେ ଶୁଣିବାକୁ ମିଳୁଛି। ଏହି ଷ୍ଟେଶନଗୁଡ଼ିକର ନ୍ୟୁଜ୍‌ ବୁଲେଟିନ୍‌ରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ଦେଶର ଦାବି କରି ଏହି ସ୍ଥାନଗୁଡ଼ିକର ପାଣିପାଗ ରିପୋର୍ଟ ମଧ୍ୟ ପ୍ରସାର କରୁଛନ୍ତି ବୋଲି ଧରଚୂଳ ଗ୍ରାମର କ୍ରିଷ୍ଣା ଗରବିୟାଲ କହିଛନ୍ତି। ତେବେ ସ୍ଥାନୀୟ ଜିଲା ପ୍ରଶାସନ ଓ ପୋଲିସ ନେପାଳୀ ରେଡିଓ ଷ୍ଟେଶନରୁ ଭାରତ ବିରୋଧୀ କାର୍ଯ୍ୟକ୍ରମ ପ୍ରସାରଣ ହେବା ନେଇ ଅବଗତ ନ ଥିବା କହିଛନ୍ତି।

Share