ସୀମାନ୍ତ ସିଲ୍‌ ପରେ ଉତ୍ତେଜନା: ୩୭ ବଙ୍ଗୀୟ ଶ୍ରମିକଙ୍କୁ ଫେରାଇ ଦେଲା ପଶ୍ଚିମବଙ୍ଗ

ଭୋଗରାଇ, ୩।୪(ଡି.ଏନ.ଏ.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତକୁ ଗତ ୨୩ତାରିଖରୁ ପ୍ରଶାସନ ପକ୍ଷରୁ ସିଲ୍‌ କରିଦିଆଯାଇଛି। ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଉଭୟ ରାଜ୍ୟ ସିଲ୍‌ କଲା ପରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଛି। ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ଗାଁ ରାସ୍ତାଗୁଡ଼ିକର ପ୍ରବେଶ ପଥକୁ ସୀମାନ୍ତବାସୀ କାଠଗଣ୍ଡି ଓ ବାଉଁଶବାଡ ପକାଇ ଅବରୋଧ କରିଛନ୍ତି। ଫଳରେ ଉଭୟ ସୀମାନ୍ତବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଚନ୍ଦନେଶ୍ୱର ସୀମାନ୍ତ ମୁଖ୍ୟ ରାସ୍ତାକୁ ସାହାବାଜିପୁରଠାରେ ଓଡ଼ିଶା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ସେଠାରେ ତାଳସାରୀ ମେରାଇନ୍‌ ଥାନା ପକ୍ଷରୁ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ସ୍ବାସ୍ଥ୍ୟବିଭାଗ ପକ୍ଷରୁ ମଧ୍ୟ ଏକ ଡାକ୍ତରୀ ଦଳ ନିଯୁକ୍ତି ଦିଆଯାଇ ବହିରାଗତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଓଡ଼ିଶାକୁ କାମ କରିବାକୁ ଆସିଥିବା ପଶ୍ଚିମବଙ୍ଗର ୩୭ଜଣ ଶ୍ରମିକ ସୀମାନ୍ତଠାରେ ଅଟକି ରହିଛନ୍ତି। ସେମାନଙ୍କୁ ପଶ୍ଚିମବଙ୍ଗ ସରକାର ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଉ ନ ଥିବାରୁ ସେମାନେ ବାଧ୍ୟ ହୋଇ ଓଡ଼ିଶା ସରକାରଙ୍କ ଶରଣ ପଶିଛନ୍ତି।
ଚନ୍ଦନେଶ୍ୱର ମୁଣ୍ଡଳା, ଦକ୍ଷିଣସରିଷା, କଖଡ଼ା, ନରସିଂହପୁର, ଗଣେଶ୍ୱରପୁର, ଅନଳିଆ-ଶଙ୍ଖାମେଦୀ, ମାନକୁଣ୍ଡା, ନସରାବାଦ, ଉପୁଳା, ସିଆଁରୋଇ ପ୍ରଭୃତି ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ଗାଁ ରାସ୍ତା ଗ୍ରାମବାସୀଙ୍କ ଦ୍ୱାରା ଅବରୋଧ ହୋଇଛି। ସୀମାନ୍ତରେ ଉଭୟ ରାଜ୍ୟ ଲୋକେ ପରସ୍ପର ମୁହାଁମୁହଁି ହେଉଛନ୍ତି। ପଶ୍ଚିମବଙ୍ଗର ପୂର୍ବମେଦିନୀପୁର ଜିଲା କାନ୍ଥି, ଚଣ୍ଡିପୁର, ଖେଜୁରୀ ଅଞ୍ଚଳର ୩୭ ଜଣ ଶ୍ରମିକ ସୁନ୍ଦରଗଡ଼ରୁ ଦୁଇଟି ବୋଲେରୋ ଯୋଗେ ଗାଁକୁ ଫେରୁଥିବା ବେଳେ ସୀମାନ୍ତ ଦୀଘା ଏବଂ ଦାନ୍ତୁନ ପୋଲିସ ଓ ପ୍ରଶାସନ ନିଜ ରାଜ୍ୟକୁ ନ ନେଇ ଯେଉଁଠୁ ଆସିଛ ସେଠାକୁ ଫେରିଯାଅ କହି ଫେରାଇ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଜଳେଶ୍ୱରରେ ୧୪ ଓ ଭୋଗରାଇ ସାହାବାଜିପୁର ମହାବିଦ୍ୟାଳୟରେ ୨୩ ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ତିନି ଓଳି ଖାଦ୍ୟ ଯୋଗାଇ ଦିଆଯାଉଛି।