Categories: ଜାତୀୟ

ସୀମାରୁ ପର୍ଯ୍ୟାୟକ୍ରମେ ହଟୁଛନ୍ତି ସେନା

ଡେରାଡୁନ,୧୪ା୬(ପି.ଟି.): ପୂର୍ବ ଲଦାଖ ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସେନା ଅଧିକାରୀସ୍ତରୀୟ ଆଲୋଚନା ଫଳପ୍ରଦ ହୋଇଛି। ଗଲଓ୍ବାନ ଉପତ୍ୟକାରୁ ଉଭୟ ପକ୍ଷର ସୈନ୍ୟ ପର୍ଯ୍ୟାୟ କ୍ରମେ ହଟୁଥିବା ସେନାଧ୍ୟକ୍ଷ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ ଶନିବାର କହିଛନ୍ତି। ଆପୋସ ବୁଝାମଣା ମଧ୍ୟରେ ସୀମାନ୍ତ ଅଞ୍ଚଳରୁ ସେନା ପ୍ରତ୍ୟାହାର ସମ୍ପର୍କରେ ପ୍ରଥମ ଥର ଲାଗି ସରକାରୀ ଭାବେ ସୂଚନା ଦିଆଯାଇଛି। ଚାଇନା ସୀମାରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ସେନାଧ୍ୟକ୍ଷ କହିଛନ୍ତି। ଦୁଇଦେଶର ସୀମାକୁ ନେଇ ଯେଉଁ ମତପାର୍ଥକ୍ୟ ରହିଛି ତାହା ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଇଣ୍ଡିଆନ ମିଲିଟାରି ଏକାଡେମୀର ଏକ ପାସିଂ ଆଉଟ ପରେଡ୍‌ରେ ଯୋଗଦେବା ଅବସରରେ ଜେନେରାଲ ନରଓ୍ବଣେ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ଉତ୍ତର ଭାଗରେ ଥିବା ଗଲଓ୍ବାନ ନଦୀ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି। ଆଲୋଚନା ଜାରି ରହିବା ସହ ସ୍ଥିତିରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି। ପୂର୍ବ ଲଦାଖର ପଙ୍ଗଓଙ୍ଗ ସୋ, ଗଲଓ୍ବାନ ଉପତ୍ରକା, ଡେମଚୋକ୍‌ ଏବଂ ଦୌଲତ ବେଗ୍‌ ଓଲ୍‌ଡିରେ ଭାରତ ଓ ଚାଇନା ସେନା ମଧ୍ୟରେ ଦୀର୍ଘ ୫ ସପ୍ତାହ ହେଲା ମୁହାଁମୁହିଁ ସ୍ଥିତି ଜାରି ରହିଥିଲା। ପଙ୍ଗଓଙ୍ଗ ସୋ ସମେତ ବିଭିନ୍ନ ଅଞ୍ଚଳରେ ବହୁସଂଖ୍ୟାରେ ଚାଇନା ସୈନ୍ୟ ସୀମା ଅତିକ୍ରମ କରି ଭାରତୀୟ ପାର୍ଶ୍ୱକୁ ଚାଲିଆସିଥିଲେ। ଏହାକୁ ଭାରତୀୟ ସେନା ପକ୍ଷରୁ ଜୋର୍‌ଦାର ବିରୋଧ କରିବା ସହ ତୁରନ୍ତ ଫେରିଯିବା ପାଇଁ ଦାବି କରିଥିଲା। ସୀମା ବିବାଦର ସମାଧାନ ପାଇଁ ଗତ କିଛିଦିନ ମଧ୍ୟରେ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ସ୍ଥାନୀୟ ସେନା ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ପରେ ଦୁଇଥର କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା।

Share