Categories: ଜାତୀୟ

ସୀମାରେ ବଢ଼ୁଛି ଅନୁପ୍ରବେଶ ଉଦ୍ୟମ: ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ,୨ା୧୨(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ-ପାକ୍‌ ସୀମାନ୍ତ ଅଧିକ ସମ୍ବେଦନଶୀଳ ହୋଇଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମହାନିର୍ଦ୍ଦେଶକ କହିଛନ୍ତି। କଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖା ଏବଂ ଜମ୍ମୁ ଓ ପଞ୍ଜାବକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମା ଦେଇ ଭାରତକୁ ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ପାଇଥିବା ବିଏସ୍‌ଏଫ୍‌ ମୁଖ୍ୟ ଭି.କେ. ଜୋହରି କହିଛନ୍ତି। ବିଏସ୍‌ଏଫ୍‌ର ୫୫ତମ ପ୍ରତିଷ୍ଠା ଦିବସ ଅବସରରେ ଯବାନମାନଙ୍କୁ ଉଦ୍‌ବୋଧନ ଦେଇ ଜୋହରି କହିଥିଲେ, ଯେକୌଣସି ମୂଲ୍ୟ ଦେଇ ସୀମାରେ ପବିତ୍ରତା ସୁନିଶ୍ଚିତ କରିବା ଲାଗି ତାଙ୍କ ବାହିନୀ ପ୍ରତିଜ୍ଞାବଦ୍ଧ। ପ୍ରତିଷ୍ଠା ଦିବସରେ ବିଏସ୍‌ଏଫ୍‌ ଯବାନ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏହି ବାହିନୀ ସୀମାକୁ ସୁରକ୍ଷିତ ରଖିବା ସହ ପ୍ରାକୃତିକ ବିପର୍ଯ୍ୟୟ ଓ ସଙ୍କଟ ସମୟରେ ନାଗରିକଙ୍କୁ ସେବା ଯୋଗାଇ ଆସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ପାକିସ୍ତାନ ସହ ରହିଥିବା ୭୦୦ କିଲୋମିଟରରୁ ଊର୍ଦ୍ଧ୍ୱ ନିୟନ୍ତ୍ରଣ ରେଖା ଏବଂ ୨୨୮୯ କିଲୋମିଟର ଦୀର୍ଘ ଅନ୍ତର୍ଜାତୀୟ ସୀମାକୁ ବିଏସ୍‌ଏଫ ଜଗୁଛି। ଏହି ଅନ୍ତର୍ଜାତୀୟ ସୀମା ଜମ୍ମୁ, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟକୁ ଲାଗି ରହିଛି। ୧୯୬୫ର ଆଜିର ଦିନରେ ୨.୫ ଲକ୍ଷ ଯବାନଙ୍କୁ ନେଇ ବିଏସ୍‌ଏଫ୍‌ ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାକୁ ଭାରତ-ପାକ୍‌ ସୀମା ଜଗିବା ଦାୟିତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ଆଭ୍ୟନ୍ତରୀଣ ସୁରକ୍ଷାରେ ମଧ୍ୟ ଏହି ବାହିନୀ ବିଭିନ୍ନ ଭୂମିକା ନିଭାଇ ଆସିଛି।

Share