ସୀମାରେ ମୋବାଇଲ ସେବା ବନ୍ଦକଲା ବାଂଲାଦେଶ

ଢ଼ାକା,୧ା୧: ଭାରତୀୟ ସୀମାକୁ ଲାଗି ୧ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ମୋବାଇଲ ସେବାକୁ ବାଂଲାଦେଶ ସରକାର ବନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଦର୍ଶାଯାଇଛି। ଫଳରେ ସୀମାରେ ଥିବା ୩୨ ଜିଲାର ୧୦ ନିୟୁତ ମୋବାଇଲ ଉପଭୋକ୍ତା ଏହା ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବାଂଲାଦେଶ ଟେଲିକମ୍ୟୁନିକେଶନ ରେଗୁଲେଟୋରି କମିଶନ(ବିଟିଆର୍‌ସି) ପକ୍ଷରୁ ସମସ୍ତ ଗ୍ରାମୀଣ ଫୋନ, ଟେଲିଟକ୍‌, ରୋବି ଓ ବାଂଲାଲିଙ୍କ୍‌ ସେବା ବନ୍ଦ କରାଯିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କୁହାଯାଇଛି। ବାଂଲାଦେଶ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ। ବିଟିଆର୍‌ସି ଅଧ୍ୟକ୍ଷ ଜହୁରୁଲ୍‌ ହକ୍‌ ଏନେଇ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି।
ଗୃହମନ୍ତ୍ରୀ ଆସାଦୁଜମାନ ଖାନ୍‌ କମାଲ ଓ ବୈଦେଶିକ ମନ୍ତ୍ରୀ ଏ.କେ. ଅବ୍‌ଦୁଲ ମେନନ୍‌ ସରକାରଙ୍କ ଏଭଳି ନିଷ୍ପତ୍ତି ସମ୍ପର୍କରେ ଜାଣି ନ ଥିବା କହିଛନ୍ତି। ପ୍ରକାଶଥାଉ କି, ଭାରତ ସରକାର ସିଏଏ ପାଶ୍‌କରିବା ପରଦିନ ବାଂଲାଦେଶ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଭାରତରେ ବେଆଇନ ଭାବେ ରହୁଥିବା ମୁସ୍‌ଲିମଙ୍କୁ ବିଦା କରିବା ଲାଗି କେନ୍ଦ୍ର ସରକାର ସିଏଏ ଆଣିଥିବାବେଳେ ବାଂଲାଦେଶ ଭୟଭୀତ ହୋଇପଡ଼ିଥିବା କୁହାଯାଉଛି। ପୂର୍ବରୁ ବାଂଲାଦେଶ ମନ୍ତ୍ରୀ ମେନନ୍‌ ଓ ଖାନ୍‌ ଏନେଇ ଭାରତ ଗସ୍ତ ବାତିଲ ମଧ୍ୟ କରିଥିଲେ।

Share