ସୀମାରେ ସୁରକ୍ଷା ବ୍ୟବସ୍ଥା ଢିଲା: ପଶ୍ଚିମବଙ୍ଗରୁ କଣ୍ଟେନର୍‌ରେ ଆସୁଛନ୍ତି ଲୋକେ

ଭଦ୍ରକ ଅଫିସ, ୨୩ା୪-ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଭଦ୍ରକ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଜିଲାରେ ଏବେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି। ବାସୁଦେବପୁର ବ୍ଲକର ୯ ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୨ ପଞ୍ଚାୟତ ମୋଟ ୧୧ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇ ଯାତାୟାତରେ କଟକଣା ଜାରି କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସ୍ଥା କରାଯାଇଛି। ୩ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ୮ କରୋନା ରୋଗୀଙ୍କ କଲିକତା ଲିଙ୍କ୍‌ ଥିବା କୁହାଯାଇଛି। ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁ ପଶ୍ଚିମବଙ୍ଗରୁ ଲୋକେ ମାଲବାହୀ ଗାଡ଼ି, କଣ୍ଟେନର, ମାଛଗାଡ଼ି ଯୋଗେ ଭଦ୍ରକ ଜିଲାକୁ ଅବାଧରେ ପ୍ରବେଶ କରୁଛନ୍ତି। ଗୁରୁବାର ଏକ କଣ୍ଟେନର ଯୋଗେ ୧୨ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭଦ୍ରକକୁ ଆସିଥିବା ଜଣାପଡ଼ିଛି। ରାଣୀତାଲ ବଜାର ନିକଟରେ ଲୋକମାନେ ଉକ୍ତ କଣ୍ଟେନର୍‌କୁ ଅଟକାଇଥିଲେ। ସ୍ଥାନୀୟ ଲୋକେ ଯାଞ୍ଚ କରିବା ବେଳେ କଣ୍ଟେନର୍‌ ଭିତରେ ୧୨ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଥିବା ଜାଣିବାକୁ ପାଇଥିଲେ। ଏନେଇ ପୋଲିସ ଓ ପ୍ରଶାସନକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। କିନ୍ତୁ ପୋଲିସ କିମ୍ବା ପ୍ରଶାସନର କୌଣସି ଅଧିକାରୀ ସେଠାରେ ପହଞ୍ଚି ନ ଥିଲେ। ରାଣୀତାଲଠାରେ ଅଟକି ରହିଥିବା ଉକ୍ତ କଣ୍ଟେନର ଧାମନଗର ଅଭିମୁଖେ ଚାଲିଯାଇଥିଲା। ଜିଲା ପ୍ରଶାସନର ତଥ୍ୟ ମୁତାବକ ଭଦ୍ରକ ଜିଲାରେ ମାର୍ଚ୍ଚ ୨୨ତାରିଖଠାରୁ ବର୍ତ୍ତମାନ ସୁଦ୍ଧା ୮ଶହ ରୁ ଊର୍ଦ୍ଧ୍ୱ କଲିକତା ଫେରନ୍ତା ଚିହ୍ନଟ ହୋଇଥିବା କୁହାଯାଇଛି। କିନ୍ତୁ ପ୍ରାୟ ୧୫ଶହରୁ ଊର୍ଦ୍ଧ୍ୱ ଏହି ସଂଖ୍ୟା ହେବ ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରୁ ୩୧୯ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୯୮ ଜଣଙ୍କ ରିପୋର୍ଟ ଆସିସାରିଛି। ଏହି ୧୯୮ ମଧ୍ୟରୁ ୮ ପଜିଟିଭ ଥିବା ସୂଚନା ମିଳିଛି। ଏଣୁ କଲିକତାରୁ ଆସିଥିବା ଲୋକମାନଙ୍କ ତୁରନ୍ତ ରକ୍ତ ପରୀକ୍ଷା କରାଯାଇ କରୋନା ଚିହ୍ନଟ କରାଯିବା ପାଇଁ ଜିଲାବାସୀ ଦାବି କରିଛନ୍ତି।