ସୀମା ଟପିଲା ପୁଅ-ବୋହୂଙ୍କ ନିର୍ଯାତନା: ସବୁ ସମ୍ପତ୍ତି ଦାନ କରିବେ ଜାନକୀ

ପାରଳାଖେମୁଣ୍ଡି,୨୦ା୯(ସ୍ବ.ପ୍ର.)-ଏକମାତ୍ର ପୁଅ-ବୋହୂଙ୍କ ନିର୍ଯାତନା ଆଇ ସହ୍ୟ ହୋଇନାହିଁ। ବାଧ୍ୟହୋଇ ଜଣେ ୭୫ବର୍ଷୀୟ ବୃଦ୍ଧା ପୁଅକୁ ନିଜ ସମ୍ପତ୍ତିରୁ ବେଦଖଲ କରିବା ପାଇଁ ମନସ୍ଥ କରିଛନ୍ତି। ଏହି ସବୁ ସମ୍ପତ୍ତି ସେ ଦାନ କରିବା ସହ ନିଜ ଘରକୁ ବୃଦ୍ଧାଶ୍ରମ କରିବା ପାଇଁ ଗଜପତି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ପାରଳାଖେମୁଣ୍ଡି ଗୋପିନୀ ସାହି ବାସିନ୍ଦା ଡା. ରାମଚନ୍ଦ୍ର ଅଧିକାରୀଙ୍କ ସ୍ତ୍ରୀ ହେଉଛନ୍ତି ଜାନକୀ ଅଧିକାରୀ। ତାଙ୍କର ଗୋଟିଏ ପୁଅ ଏବଂ ୩ଟି ଝିଅ ରହିଥିବାବେଳେ ସମସ୍ତେ ବିବାହିତ ଅଟନ୍ତି। ତେବେ ପୁଅ ସୁନୀଲ୍‌ ଅଧିକାରୀ ଏବଂ ତାଙ୍କ ସ୍ତ୍ରୀ ବିଭିନ୍ନ ସମୟରେ ଗାଳିଗୁଲଜ ଓ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏହି ସବୁ ନିର୍ଯାତନା ଅସହ୍ୟ ହେବାପରେ ମହିଳା ଜଣକ ନିଜର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବା ସହ ନିଜ ଘରକୁ ‘ଜାନକୀରାମ’ ନାମରେ ଏକ ବୃଦ୍ଧାଶ୍ରମ କରିବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି। ସେ ସେହି ବୃଦ୍ଧାଶ୍ରମରେ ଅନ୍ୟ ଅସହାୟ ବୃଦ୍ଧାବୃଦ୍ଧଙ୍କ ସହ ରହିବେ, ନଚେତ୍‌ ସେ ବଞ୍ଚିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ସେ ନିଜ ସମ୍ପତ୍ତି ଝିଅ, ପୁଅ କାହାରିକୁ ମଧ୍ୟ ଦେବାପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବୃଦ୍ଧାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଜାନକୀ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏସ୍‌ପିଙ୍କୁ ଭେଟି ନିବେଦନ କରିଛନ୍ତି। ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇଦେବ ଏବଂ ତାଙ୍କୁ ସହଯୋଗ କରିବ ବୋଲି ଏସ୍‌ପି ଶର୍ମା କହିଛନ୍ତି। ଏହାସହ ପୁଅ-ବୋହୂଙ୍କୁ କାଉନସେଲିଂ ପାଇଁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଶୁକ୍ରବାର ରାତି ସୁଦ୍ଧା ଉଭୟେ ଥାନାକୁ ଆସି ପୋଲିସ ନିକଟରେ ନିଜ ପକ୍ଷ ରଖିବା ପାଇଁ ନୋଟିସ୍‌ କରାଯାଇଛି। ଏଥିରେ ସହଯୋଗ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।