ସୀମା ସିଲ୍‌ ସତ୍ତ୍ୱେ ହାଇଦ୍ରାବାଦରୁ ଆସିଲେ ଶହେରୁ ଉର୍ଦ୍ଧ୍ୱ ପ୍ରବାସୀ

ବାଲେଶ୍ୱର ଅଫିସ,୧୨।୫-ସୀମା ସିଲ୍‌ କରାଯାଇଥିଲେ ମଧ୍ୟ ହାଇଦ୍ରାବାଦରୁ ଶହେରୁ ଊର୍ଦ୍ଧ୍ୱ ପ୍ରବାସୀ ଚାଲି ଚାଲି ଆସି ସୋମବାର ବାଲେଶ୍ୱର ଜିଲା ରେମୁଣା ଗୋଲେଇରେ ପହଞ୍ଚିଥିଲେ। ଏତେସଂଖ୍ୟକ ଲୋକେ ଯାଉଥିବା ଦେଖି କେତେକ ସାମାଜିକ କର୍ମୀ ସନ୍ଦେହରେ ସେମାନଙ୍କୁ ପଚରାଉଚୁରା କରିବା ପରେ ସମସ୍ତ କଥା ଜଣାପଡିଥିଲା। ସ୍ଥାନୀୟ ପ୍ରଶାସନ ସହଯୋଗରେ ସେମାନଙ୍କର ଖାଇବା ଏବଂ ପାନୀୟଜଳ ବ୍ୟବସ୍ଥା କରାଯାଇଥିଲା। ଏମାନେ ସମସ୍ତେ ବସ୍ତା ବ୍ଲକ କୁଶୁଡିହା ପଞ୍ଚାୟତର।
ପ୍ରବାସୀମାନେ ହାଇଦ୍ରାବାଦ ବେଗମ୍‌ପେଟ ଅଞ୍ଚଳର ଗ୍ରାନାଇଡ୍‌ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ କାରଣରୁ ସେହି ଫ୍ୟାକ୍ଟ୍ରି ବନ୍ଦ ହୋଇଯାଇଥିଲା। ପାଖରେ ଥିବା ସଞ୍ଚତ୍ତ ଅର୍ଥ ଖର୍ଚ୍ଚ ହୋଇଯିବା ଓ ରାଜ୍ୟ ସରକାରଙ୍କ ପ୍ରବାସୀ ଓଡ଼ିଆଙ୍କୁ ଫେରସ୍ତ ଆଣିବା ଘୋଷଣା ପରେ ସେମାନେ ଘରକୁ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ। କିଛିଦିନ ଧରି ସେମାନେ ଅପେକ୍ଷା କରି ରହିଥିଲେ। କୌଣସି ସୁବିଧା ସୁଯୋଗ ନ ମିଳିବାରୁ ୭ଦିନ ପୂର୍ବରୁ ହାଇଦ୍ରାବାଦରେ ରହୁଥିବା ସ୍ଥାନରୁ ସେମାନେ ଚାଲିବା ଆରମ୍ଭ କରିଥିଲେ। ରାସ୍ତାର ବିଭିନ୍ନ ସ୍ଥାନରେ କେତେକ ଗାଡ଼ିର ସହାୟତା ନେଇ ଓଡ଼ିଶା ସୀମା ପାରି ହୋଇ ସୋମବାର ପୂର୍ବାହ୍ନ ୧୧ଟାରେ ଶେରଗଡ଼ସ୍ଥିତ ଟୋଲଗେଟ୍‌ ନିକଟରେ ଏକ ଟ୍ରକ୍‌ ଯୋଗେ ପହଞ୍ଚିଥିଲେ। ସେଠାରୁ ୧୬ନଂ. ଜାତୀୟ ରାଜପଥ ଦେଇ ଚାଲି ଚାଲି ରେମୁଣା ଗୋଲେଇ ନିକଟରେ ପହଞ୍ଚିଥିଲେ। କେତେକ ସମାଜସେବୀ ସେମାନଙ୍କୁ ଅଟକାଇ ପଚରାଉଚୁରା କରିବା ପରେ ଶିଳ୍ପାଞ୍ଚଳ ଥାନାକୁ ଖବର ଦେଇଥିଲେ। କିଛି ସମୟ ପରେ ଥାନା କର୍ମଚାରୀ ଓ ରେମୁଣା ତହସିଲଦାର ଚାର୍ଲସ ନାୟକ ଘଟଣାସ୍ଥଳରେ ପହଞ୍ଚି ବସ୍ତା ତହସିଲଦାର କାର୍ତ୍ତିକ ଦାସଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରେ ଥିବା କେତେକ ଲୋକ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳର ହୋଇଥିବାରୁ ସେଠାକାର ବିଡ଼ିଓଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମଧ୍ୟାହ୍ନ ପରେ ବିଭିନ୍ନ ଗାଡ଼ି ଯୋଗେ ଉକ୍ତ ଲୋକଙ୍କୁ ବସ୍ତା ଏବଂ ରାସଗୋବିନ୍ଦପୁର ଅଞ୍ଚଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଲୋକମାନେ ଚାଲି ଚାଲି ଆସୁଥିବା ବେଳେ ରାଜ୍ୟ ସୀମା ପାରି ହେବା, ଜିଲା ପରେ ଜିଲା ଅତିକ୍ରମ କରି ବାଲେଶ୍ୱରରେ ପହଞ୍ଚତ୍ବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share