ସୁକତେଲ୍‌ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ପହଞ୍ଚିଲେ ଦୁଇଜଣିଆ ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ୍‌

ପାଟଣାଗଡ, ୩୦ା୪ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ପାଟଣାଗଡ ବ୍ଳକ ଅନ୍ତର୍ଗତ ତମିଆଁ-ମୁଦଲସର ସୁକତେଲ ନଦୀ ବ୍ରିଜ ବୁଧବାର ସକାଳେ ମରାମତି ବେଳେ ଭୁଶୁଡି ପଡିଥିଲା। ଭାଙ୍ଗି ଯାଇଥିବା ବ୍ରିଜ ସ୍ଲାବ ତଳେ ଦୁଇଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ଘଟଣାରେ ଅନ୍ୟଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ଏହି ବ୍ରିଜ ଭୁଶୁଡିବା ଘଟଣାକୁ ନେଇ ଭୁବନେଶ୍ୱରରୁ ଦୁଇଜଣିଆ ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ ଗୁରୁବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ସତ୍ୟଜିତ୍‌ ଚକ୍ରବର୍ତ୍ତୀ, ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ହେମନ୍ତ କୁମାର ଦତ୍ତ ଭୁଶୁଡି ପଡିଥିବା ସୁକତେଲ ବ୍ରିଜ ପରିଦର୍ଶନ କରି କିଭଳି ପରିସ୍ଥିତିରେ ଏହି ବ୍ରିଜ୍‌ଟି ଭାଙ୍ଗିଲା ଏହା ଅନୁଧ୍ୟାନ କରିଥିଲେ । ଏହି ଦୁଇ ଅଧିକାରୀଙ୍କ ସହ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଇ କାଳୀପ୍ରସାଦ ମହାକୁର ଓ ପାଟଣାଗଡ ନିର୍ବାହୀ ଯନ୍ତ୍ରୀ ଏଣ୍ଟିନୋ କିଶାନ ମଧ୍ୟ ଉପସ୍ଥିତ ଥିଲେ । ଅଧିକାରୀମାନଙ୍କୁ ନିକଟସ୍ଥ ତମିଆ ଓ ଆଖପାଖ ଗାଁର ଲୋକେ ବ୍ରିଜ ନିମ୍ନମାନର ହୋଇଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ କରାଯାଇ ନ ଥିଲା ବୋଲି ପ୍ରଶ୍ନ କରିଥିଲେ । ବ୍ରିଜ ଭୁଶୁଡିବା ଘଟଣାର ତଦନ୍ତ କରିବା ପାଇଁ ସେମାନେ ଆସିଛନ୍ତି ଓ ଏହାର ରିପୋର୍ଟ ଶୀଘ୍ର ରାଜ୍ୟ ସରକାରଙ୍କୁ ଦାଖଲ କରାଯିବ ବୋଲି ଦୁଇ ଅଧିକାରୀ ଲୋକଙ୍କୁ କହିଥିଲେ ।

Share