ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ହାତ ଧରିଲେ ଅଭିନେତ୍ରୀ ଝିଲିକ୍‌

ଭୁବନେଶ୍ୱର: ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ରାଜସ୍ଥାନରେ ବୁଧବାର ଆୟୋଜିତ ଏକ ଘରୋଇ ଉତ୍ସବରେ ଗୋପନୀୟ ଭାବେ ସେ ବିବାହ କରିଛନ୍ତି। ଗୁରୁବାର ସକାଳେ ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌ ଆକାଉଣ୍ଟରେ କିଛି ଫଟୋ ଶେୟାର କରି ଝିଲିକ୍‌ ଏ ନେଇ ସୂଚନା ଦେଇଛନ୍ତି।

ବିବାହ ସମୟର ଓ ପରର ଦୁଇଟି ଫଟୋ ଶେୟାର କରିଛନ୍ତି ଝିଲିକ୍‌। ଗୋଟିଏ ଫଟୋରେ ପ୍ରୀତିରଞ୍ଜନ ତାଙ୍କୁ ସିନ୍ଦୂର ପିନ୍ଧାଉଥିବା ବେଳେ ଅନ୍ୟଟିରେ ଝିଲିକ୍‌ଙ୍କ ସହ ପ୍ରୀତିରଞ୍ଜନ ଓ ତାଙ୍କ ମା’ବାପା ଥିବା ଦେଖିବାକୁ ମିଳିଛି। ଏହାକୁ ଶେୟାର କରିବା ସହ ଆମର ବୈବାହିକ ଜୀବନ ପାଇଁ ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲି ଝିଲିକ୍‌ କହିଛନ୍ତି।

ତେବେ ଝିଲିକ୍‌ ଓ ପ୍ରୀତିରଞ୍ଜନ ବିବାହ କରିବାକୁ ନେଇ କିଛିଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲା। ବୁଧବାର ଉଭୟଙ୍କ ନିର୍ବନ୍ଧ ହୋଇଥିବା ନେଇ କୁହାଯାଉଥିଲା। ଏପରିକି କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଝିଲିକ୍‌ ଉଭୟ ବଙ୍ଗଳା ଓ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ‘ଟାର୍ଗେଟ୍‌’ ଜରିଆରେ ସେ ଓଲିଉଡ୍‌ରେ ପ୍ରବେଶ କରିଥିଲେ। ଇତିମଧ୍ୟରେ ସେ ପ୍ରାୟ ୧୫ ଫିଲ୍ମରେ କାମ କରିଛନ୍ତି। ଅପରପକ୍ଷେ ପ୍ରୀତିରଞ୍ଜନଙ୍କର ଏହା ଦ୍ୱିତୀୟ ବିବାହ। ପ୍ରଥମ ସ୍ତ୍ରୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଛି। ଏବେ ସେ ସୁକିନ୍ଦା ବିଧାନସଭା ଆସନରୁ ବିଧାୟକ ଅଛନ୍ତି।

Share