ସୁଗାର ଫ୍ରି ଖାଦ୍ୟ ଓ ଦାନ୍ତ

ଡାଇବେଟିସ ରୋଗୀ ବିଶେଷ ଭାବରେ ଖାଦ୍ୟପେୟ ପ୍ରତି ସଚେତନ ରହିଥାଆନ୍ତି।  ସେମାନଙ୍କୁ ମିଠାଜାତୀୟ ଏବଂ କେତେକ ଖାଦ୍ୟଠାରୁ ଦୂରତା ଅବଲମ୍ବନ କରିବାକୁ ପଡ଼ିଥାଏ। ହେଲେ ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ସୁଗାର ଫ୍ରି ଖାଦ୍ୟ ଉପଲବ୍ଧ, ଯାହାର ମଧ୍ୟ ଢେର୍‌ ଚାହିଦା ରହିଛି। ହେଲେ ଏପରି ଖାଦ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଦାନ୍ତଜନିତ ସମସ୍ୟା ସୃଷ୍ଟି କରିପାରେ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଏପରି ବିଷୟବସ୍ତୁ ଉପରେ ଅଷ୍ଟ୍ରେଲିଆସ୍ଥିତ ସିଡ୍‌ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ସୁଗାର ଫ୍ରି ମିଠା ହେଉ କି ପାନୀୟ ଡାଇବେଟିସ ରୋଗୀଙ୍କର ଦାନ୍ତ ପାଇଁ ୩୦-୫୦ ପ୍ରତିଶତ କ୍ଷତିକାରକ। ପାଖାପାଖି ୨୩ ପ୍ରକାର ସୁଗାର ଫ୍ରି ଖାଦ୍ୟ ଏବଂ ପାନୀୟ ଉପରେ ସେମାନେ ଗବେଷଣା କରି ଏକଥା ଜାଣିପାରିଥିଲେ। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏପରି ଖାଦ୍ୟରେ ଥିବା ଏସିଡିକ୍‌ କଲର ଦାନ୍ତ ପାଇଁ କ୍ଷତିକାରକ।