ବଜାରରେ ଚଢ଼ାଦରରେ ମିଳୁଥିବା ବ୍ରାଉନ ରାଇସ୍ ସୁଗାର ଓ କୋଲେଷ୍ଟରଲ ମୁକ୍ତ ଥିବା ଦର୍ଶାଯାଇଥାଏ । କିନ୍ତୁ ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ମାଡ୍ରାସ ଡାଇବେଟିଜ୍ ରିସର୍ଚ୍ଚ ଫାଉଣ୍ଡେସନ (ଏମ୍ଡିଆର୍ଏଫ୍) ପ୍ରକାଶ କରିଛି। ଚାଉଳ ସୁଗାର-ଫ୍ରି ହୋଇପାରିବ ନାହିଁ ବୋଲି ଏକ ଗବେଷଣା ପରେ ଏମ୍ଡିଆରଏଫ୍ ପକ୍ଷରୁ ଏହା କୁହାଯାଇଛି ।
ଏକ ରିପୋର୍ଟରେ କୁହାଯାଇଛି ଯେ, ରଙ୍ଗ ଧଳା କରିବା ପାଇଁ ଏହି ଚାଉଳ ପଲିଶ କରାଯାଇଥାଏ। ଏହା ବ୍ୟତୀତ ସୁଗାର-ଫ୍ରି ଏବଂ ବିନା କୋଲେଷ୍ଟରଲ ଦାବି କରାଯାଉଥିବା ଚାଉଳ ଅଧା ସିଝା ହୋଇଥାଏ। ପରୀକ୍ଷା ପାଇଁ ଏମ୍ଡିଆର୍ଏଫ୍ର ବୈଜ୍ଞାନିକମାନେ ଚେନ୍ନାଇର କେତେକ ସ୍ଥାନରୁ ୧୫ ପ୍ରକାରର ବ୍ରାଉନ ରାଇସ ନମୁନା ସଂଗ୍ରହ କରିଥିଲେ ।
ଗବେଷଣାରୁ ଜଣାପଡ଼ିଥିଲା ଯେ, ସୁଗାର-ଫ୍ରି ଏବଂ କୋଲେଷ୍ଟରଲ ମୁକ୍ତ ଦାବି କରାଯାଇ ବଜାରରେ ବିକ୍ରି କରାଯାଉଥିବା ଏହି ସବୁ ବ୍ରାଉନ ରାଇସ ଅଧା ସିଝା ବା ଅଧା ଫୁଟା ହୋଇଛି। ଏହି ଚାଉଳ ରୋଷେଇ କରିବା ସମୟରେ ଅଧିକ ପାଣି ଆବଶ୍ୟକ ହେଉଥିବାରୁ ଏଥିରେ ଶ୍ବେତସାର ମାତ୍ରା ଅଧିକ ଥାଏ। ତେଣୁ ଶ୍ବେତସାର ମାତ୍ରା ଅଧିକ ହେବାରୁ ଚାଉଳରେ ଗ୍ଲିସେମିକ ଇନ୍ଡେକ୍ସ ମଧ୍ୟ ବଢ଼ି ଯାଇଥାଏ। ଚାଉଳରେ କାର୍ବୋହାଇଡ୍ରେଟ ମାତ୍ରା ଅଧିକ ଥିଲେ ଏହି ଚାଉଳର ଭାତ ଖାଉଥିବା ବ୍ୟକ୍ତିଙ୍କ ରକ୍ତରେ ଗ୍ଲୁକୋଜର ମାତ୍ରା ପ୍ରଭାବିତ ହୋଇଥାଏ। ତେଣୁ ଗବେଷକଙ୍କ ସୂଚନା ଅନୁଯାୟୀ, କୌଣସି ଚାଉଳ ସୁଗାର-ଫ୍ରି ନୁହେଁ ।