Categories: ଖେଳ

ସୁଦିରମାନ କପରୁ ଭାରତର ବିଦାୟ

ନାନ୍ନିଂ(ଚାଇନା),୨୨।୫(ପିଟି)- ସୁଦିରମାନ କପ୍‌ ଦଳଗତ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଭାରତ ବିଦାୟ ନେଇଛି। ବୁଧବାର ଅନୁଷ୍ଠିତ ଚାଇନା ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ ୦-୫ ବ୍ୟବଧାନରେ ପରାସ୍ତ ହୋଇଛି। ମାଲେସିଆଠାରୁ ୩-୨ରେ ପରାସ୍ତ ହୋଇଥିବା ଭାରତକୁ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରିବା ପାଇଁ ୧୦ ଥର ଚାମ୍ପିୟନ ଚାଇନାକୁ ହରାଇବାର ଆବଶ୍ୟକତା ଥିଲା। ପ୍ରଥମେ ଭାରତୀୟ ମିକ୍ସଡ୍‌ ଡବଲ୍ସ ବର୍ଗରେ ଜେରି ଚୋପ୍ରା ଓ ଏନ୍‌. ସିକ୍କି ରେଡ୍ଡୀଙ୍କ ଯୋଡ଼ି ପରାସ୍ତ ହୋଇଥିଲେ। କିଡାମ୍ବି ଶ୍ରୀକାନ୍ତ ଆହତ ହେବାରୁ ସମୀର ବର୍ମା ପୁଣି ପୁରୁଷ ସିଙ୍ଗଲ୍ସ ମ୍ୟାଚ୍‌ ଖେଳିଥିଲେ। ସମୀର ୧୭-୨୧, ୨୦-୨୨ ସିଧାସଳଖ ଗେମ୍‌ରେ ଅଲିମ୍ପିକ୍‌ ଚାମ୍ପିୟନ ଚେନ ଲଙ୍ଗଙ୍କଠାରୁ ହାରି ଯାଇଥିଲେ। ଫଳରେ ମୁକାବିଲାରେ ଭାରତ ୦-୨ରେ ପଛୁଆ ଥିଲା। ପୁରୁଷ ଡବଲ୍ସ ବର୍ଗରେ ନିଶ୍ଚିତ ବିଜୟ ଆବଶ୍ୟକ ଥିଲା। କିନ୍ତୁ ସାତ୍ୱିକସାଇରାଜ ରାନ୍‌କିରେଡ୍ଡୀ ଓ ଚିରାଗ ସେଟ୍ଟିଙ୍କ ଯୋଡ଼ିର ପରାଜୟ ସହ ଟୁର୍ନାମେଣ୍ଟରୁୁ ଭାରତର ବିଦାୟ ହୋଇଛି। ଏହାପରେ ମହିଳା ସିଙ୍ଗଲ୍ସ ବର୍ଗରେ ସାଇନା ନେହ୍ବାଲ ଓ ଡବଲ୍ସ ବର୍ଗରେ ଅଶ୍ୱିନ ପୁନ୍ନାପ୍ପା-ସିକ୍କି ମଧ୍ୟ କିଛି କମାଲ କରିପାରି ନ ଥିଲେ। ୨୦୧୧ ଓ ୨୦୧୭ ସଂସ୍କରଣରେ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା, ଯାହାକି ଶ୍ରେଷ୍ଠ ପ୍ରଦର୍ଶନ।

Share