Categories: ଖେଳ

ସୁଦିରମାନ କପ୍‌:ପରାଜୟରୁ ଭାରତର ଅଭିଯାନ ଆରମ୍ଭ

ନାନ୍ନିଂ,୨୧ା୫(ପି.ଟି.)- ଏଠାରେ ଚାଲିଥିବା ସୁଦିରମାନ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ଡି’ର ପ୍ରଥମ ମ୍ୟାଚ୍‌ରେ ଭାରତ ୨-୩ ବ୍ୟବଧାନରେ ମାଲେସିଆଠାରୁ ପରାସ୍ତ ହୋଇଛି। ମିକ୍ସଡ୍‌ ଡବଲ୍ସ ବର୍ଗରେ ସାତ୍ତ୍ୱିକସାଇରାଜ ରାନ୍‌କିରେଡ୍ଡୀ ଓ ଅଶ୍ୱିନୀ ପୁନ୍ନାପ୍ପା ବିଜୟ ସହ ଭାରତକୁ ୧-୦ର ଅଗ୍ରଣୀ ଆଣି ଦେଇଥିଲେ। କିଡାମ୍ବି ଶ୍ରୀକାନ୍ତଙ୍କ ବଦଳରେ ସମୀରଙ୍କୁ ପଠାଇବା ନିଷ୍ପତ୍ତି ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସମୀରଙ୍କୁ ୧୩-୨୧, ୧୫-୨୧ ଗେମ୍‌ରେ ଲି ଝି ଜିଆ ପରାସ୍ତ କରିଥିଲେ। ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକଧାରୀ ପି.ଭି. ସିନ୍ଧୁ ୨୧-୧୨, ୨୧-୮ ଗେମ୍‌ରେ ଗୋ ଜିନ ଓ୍ବେଇଙ୍କୁ ହରାଇଥିଲେ। କିନ୍ତୁ ପୁରୁଷ ଡବଲ୍ସ ବର୍ଗରେ ମନୁ ଅତ୍ରି ଓ ବି. ସୁମିଥ ରେଡ୍ଡୀଙ୍କ ଯୋଡ଼ି ପରାସ୍ତ ହେବାରୁ ମୁକାବିଲା ୨-୨ର ବରାବର ସ୍ଥିତିରେ ରହିଥିଲା। ଅନ୍ତିମ ତଥା ମହିଳା ଡବଲ୍ସ ବର୍ଗରେ ଅଶ୍ୱିନ ଓ ଏନ୍‌. ସିକ୍କି ରେଡ୍ଡୀଙ୍କ ଯୋଡ଼ିକୁ ଚୋ ମେଇ କନ ଓ ଲି ମେଙ୍ଗ ୟିନ ପରାସ୍ତ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ପରାଜୟ ଯୋଗୁ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଭାରତୀୟ ଦଳର ପ୍ରବେଶ କରିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଭାରତୀୟ ଦଳ ତା’ର ପରବର୍ତ୍ତୀ ମୁକାବିଲାରେ ଶକ୍ତିଶାଳୀ ଚାଇନାକୁ ଭେଟିବ।

Share