Categories: ଖେଳ

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ ଶ୍ରୀକାନ୍ତଙ୍କ ପରି ଟପ୍‌ ଶଟ୍‌ଲରଙ୍କୁ ନେଇ ଗଠିତ ଭାରତୀୟ ଦଳ ଏହି ସମ୍ମାନଜନକ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ପଦକ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଭାରତ ଏଠାରେ ୨୦୧୧ ଓ ୨୦୧୭ ସଂସ୍କରଣରେ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ପ୍ରବେଶ କରିବାରେ ସଫଳ ହୋଇଥିଲା। ମିକ୍ସଡ ଟିମ୍‌ ଚାମ୍ପିୟନଶିପ୍‌ରେ ଭାରତ ପଦକ ସମ୍ଭାବନା ରହିଛି। ଏହି ଟିମ୍‌ରେ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ ବିଜୟିନୀ ସିନ୍ଧୁ, ଚଳିତ ବର୍ଷ ଇଣ୍ଡୋନେସିଆ ମାଷ୍ଟର୍ସ ଚାମ୍ପିୟନ ହୋଇଥିବା ସାଇନା, ଇଣ୍ଡିଆ ଓପନ୍‌ ଫାଇନାଲରେ ପ୍ରବେଶ କରିଥିବା ଶ୍ରୀକାନ୍ତ ଓ ଓ୍ବାର୍ଲ୍‌ସ ଟୁର୍‌ ଫାଇନାଲ୍ସ ସେମିଫାଇନାଲିଷ୍ଟ ସମୀର ବର୍ମାଙ୍କ ପରି ପ୍ରମୁଖ ଖେଳାଳି ରହୁଥିବାରୁ ଭାରତ ନିକଟରେ ସୁଯୋଗ ରହିଛି। ଭାରତ ଏହାର ପ୍ରଥମ ମୁକାବିଲାରେ ସୋମବାର ମାଲେସିଆକୁ ଭେଟିବ। ଏହା ପରଦିନ ୧୦ଥର ଚାମ୍ପିୟନ ଚାଇନା ସହିତ ଭାରତ ମୁକାବିଲା କରିବ। ୧୩ ସଦସ୍ୟଙ୍କୁ ନେଇ ଗଠିତ ଭାରତୀୟ ଦଳ ଟୁର୍ନାମେଣ୍ଟରେ ୮ମ ସିଡ୍‌ ମାନ୍ୟତା ପାଇଛି। ଅପରପକ୍ଷରେ ବିଶ୍ୱର ଏକ ନମ୍ବର ଖେଳାଳି ଲି ଚୋଙ୍ଗ୍‌ଙ୍କ ବିନା ଏହି ପ୍ରତିଯୋଗିତାକୁ ଖେଳିବାକୁ ଆସିଥିବା ମାଲେସିଆ ଚାପରେ ରହିଛି।

Share