ସୁଧାଂଶୁ ଷଡ଼ଙ୍ଗୀ ପୋଲିସ କମିଶନର: ସତ୍ୟଜିତ୍‌ ମହାନ୍ତି ହେଲେ ଜେଲ ଏଡିଜି

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଆଇପିଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। କଟକ-ଭୁବନେଶ୍ୱର ଟ୍ବିନ୍‌ ସିଟି ପୋଲିସ କମିଶନର ଥିବା ୧୯୮୮ ବ୍ୟାଚର ଆଇପିଏସ୍‌ ଅଫିସର ସତ୍ୟଜିତ୍‌ ମହାନ୍ତିଙ୍କୁ ଜେଲ ଏଡିଜି ଭାବେ ବଦଳି କରାଯାଇଥିବା ବେଳେ ରାଜ୍ୟ ଅପରାଧ ପରିସଂଖ୍ୟାନ ବ୍ୟୁରୋ(ଏସ୍‌ସିଆରବି)ର ନିର୍ଦ୍ଦେଶକ ଥିବା ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ନବନିଯୁକ୍ତ ପୋଲିସ କମିଶନର ସୁଧାଂଶୁ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସୁଚାରୁରୂପେ ନିଜ ଦାୟିତ୍ୱ ତୁଲାଇ ଆସିଛନ୍ତି। ସେ ସେଣ୍ଟ୍ରାଲ ଡେପୁଟେଶନରେ ଯାଇ ଡିଜି ଅଫ୍‌ ସିକ୍ୟୁରିଟିର ଏଆରସିରେ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିଲେ। ଗାଁ ସ୍କୁଲରୁ ପାଠପଢ଼ି ଉଚ୍ଚଶିକ୍ଷା ପାଇଁ ସେ ବ୍ରିଟେନ୍‌ ଯାଇଥିଲେ। ଲିଭରପୁଲ୍‌ ବିଶ୍ୱବିଦ୍ୟାଳୟରେ ଇନଭେଷ୍ଟିଗେଟିଭ ସାଇକୋଲୋଜିରେ ଏମ୍‌ଏସ୍‌ସି ଏବଂ ପିଏଚ୍‌ଡି କରିଥିଲେ। ଛୋଟବେଳରୁ ସେ ଲେଖାଲେଖି କରିବାକୁ ରୁଚି ରଖିତ୍ଥିଲେ। ଚାକିରିର ବ୍ୟସ୍ତ ଜୀବନରୁ ସମୟ ବାହାର କରି ସେ ଲେଖାଲେଖି କରନ୍ତି। ଏପରି କି ବିଭିନ୍ନ ଗଣମାଧ୍ୟମରେ ତାଙ୍କର ଲେଖା ପ୍ରକାଶ ପାଇଛି।

Share