Categories: ମେଟ୍ରୋ

ସୁଧୁରୁନି ଜଣ୍ଡିସ ସ୍ଥିତି : ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉନି ଉପଯୁକ୍ତ ପଦକ୍ଷେପ

କଟକ ଅଫିସ, ୧।୭ : କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ ଜଣ୍ଡିସ ସ୍ଥିତି ସୁଧୁରୁନି। ଏବେ ପଟ୍ଟାପୋଲ, ସୂତାହାଟ, ଦର୍ଜିସାହି ଅଞ୍ଚଳର ଅଧିକାଂଶ ଘରେ ଜଣ୍ଡିସ୍‌ ଆକ୍ରାନ୍ତ ଥିବା ଜଣାପଡିଛି। ଏପରି କି ସୁତାହାଟ ଅଞ୍ଚଳରେ ଗୋଟିଏ ପରିବାରର ୩/୪ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଜଣ୍ଡିସ ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ସହରର କେତେକ ସ୍ଥାନର ଡ୍ରେନ୍‌ ନିକଟରେ ପାଣି ପାଇପ ଯାଇଛି। ହେଲେ ପାଇପ ଲାଇନ୍‌ ବଦଳା ନ ଯିବା ଯୋଗୁ ଏହା ଫାଟି ଡ୍ରେନ୍‌ପାଣି ସହ ମିଶୁଛି। ଫଳରେ ଏହି ଦୂଷିତ ପାଣି ପିଇବା ଦ୍ୱାରା ଲୋକେ ଜଣ୍ଡିସରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଉମେଶ ପାଣିଗ୍ରାହୀ କହିଛନ୍ତି, ଜଣ୍ଡିସ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନିଆଯାଉଛି। ଡ୍ରେନେଜ୍‌ରେ ବ୍ଲିଚିଂ ପାଉଡର ପକାଯାଇ ସଫା କରାଯାଉଛି। ହାଲୋଜିନ୍‌ ବଟିକା ଦିଆଯାଉଛି ଓ ଲିଫ୍‌ଲେଟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ଘଡାଇ କହିଛନ୍ତି, ଜଣ୍ଡିସ୍‌ ହୋଇଥିବା ଅଞ୍ଚଳକୁ ଆମେ ପରିଦର୍ଶନ କରୁଛୁ। ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାବୋରେଟୋରିକୁ ପଠାଇଥିଲା। ରିପୋର୍ଟ ଆସିବା ପରେ ପାଣି ଯୋଗୁ ଜଣ୍ଡିସ ବ୍ୟାପୁ ନ ଥିବା ଜଣାପଡିଛି। ଅପରିଷ୍କାର ସ୍ଥାନରେ ବିକ୍ରି ହେଉଥିବା ଗୁପ୍‌ଚୁପ୍‌, ଚାଟ୍‌ ଭଳି ଚଟ୍‌ପଟି ଖାଦ୍ୟ ଖାଇବା ଯୋଗୁ ଜଣ୍ଡିସ ବ୍ୟାପୁଛି।

Share