ସୁଧୁରୁନି ସହର ପରିମଳ ବ୍ୟବସ୍ଥା:ରାସ୍ତା ପାଲଟିଲାଣି ଡମ୍ପିଂୟାର୍ଡ

ଅନୁଗୋଳ ଅଫିସ, ୭।୯- ସହର ସଫା କରିବାକୁ ଅନୁଗୋଳ ପୌରପାଳିକା ଯେପରି ଯୋଜନା ହୀନ ହୋଇପଡିଛି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୌର କର୍ତ୍ତୃପକ୍ଷଙ୍କ କୌଣସି ନୀତି କାମ କରୁନାହିଁ। ଜାଗା ମିଳୁ ନ ଥିବାରୁ ପୌର କର୍ମଚାରୀମାନେ ସର୍ବସାଧାରଣ ସ୍ଥାନରେ ସହରର ଅଳିଆ ଗଦା କରୁଥିବାରୁ ରାସ୍ତାଘାଟ ଡମ୍ପିଂୟାର୍ଡ ପାଲଟିଗଲାଣି। ଏବେ ପାର୍ବଣ ଋତୁ ଆରମ୍ଭ ହୋଇଥିଲେ ମଧ୍ୟ ସହର ଚିତ୍ର ସଜାଡିବାକୁ ପୌର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି।
ସହର ସାରା ଏଣେତେଣେ ପଡିଛି ଅଳିଆ। ଦୁର୍ଗନ୍ଧରେ ନାକ ଫାଟୁଛି। ଜାଗା ନ ଥିବାରୁ ପୌରପାଳିକାର ସଫେଇ କର୍ମଚାରୀ ଅଳିଆ ଆଣି ରାସ୍ତାରେ ଗଦା କରି ଦେଉଛନ୍ତି। ଏଥିଯୋଗୁ ଅନୁଗୋଳ ବଜାର ଛକରୁ-ହରିମହୁରୀ ଛକକୁ ଯିବା ରାସ୍ତା ସାରା ଆବର୍ଜନାରେ ଭର୍ତ୍ତି ହୋଇଗଲାଣି। ଫଳରେ ସେହି ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇଛି। ସେହିପରି ଅନୁଗୋଳ ବସ୍‌ଷ୍ଟାଣ୍ଡ ଗୋଲେଇ ଛକ ମାର୍କେଟ କଥା ନ କହିଲେ ଭଲ। ବିଭିନ୍ନ ସ୍ଥାନର ଆବର୍ଜନାକୁ ଏହି ଛକରେ ଗଦା କରାଯାଇଛି। ବର୍ଷା ହେଲେ ଅବସ୍ଥା ସଙ୍ଗୀନ ହୋଇପଡୁଛି। ପୌରପାଳିକା ପକ୍ଷରୁ ନିକିତି ଧରି ଅଳିଆ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲେ ହେଁ ଏହା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଛି। ବିଭିନ୍ନ ଓ୍ବାର୍ଡରୁ ସଂଗ୍ରହ କରାଯାଉଥିବା ଅଳିଆ ଗୋଳେଇ ଘାଣ୍ଟି ଓ୍ବାର୍ଡମୁଣ୍ଡରେ ଗଦା କରାଯାଉଛି। ଅନ୍ୟପକ୍ଷରେ ପୌରପାଳିକାରୁ ହଟାଯାଇଥିବା ୨୨ ଜଣ ଠିକା କର୍ମଚାରୀଙ୍କ ମଧ୍ୟରେ ଟ୍ରଲି ଓ ଟ୍ରାକ୍ଟର ଚାଳକ ରହିଥିଲେ। ସେମାନେ ଗଲା ପରେ ଟ୍ରାକ୍ଟରରେ ଅଳିଆ ନେବାରେ ଅସୁବିଧା ହେଉଥିବା ଜଣାପଡିଛି। ଅନେକ ସମୟରେ ଗଦା ହୋଇଥିବା ଅଳିଆରେ ପୌରପାଳିକା ପକ୍ଷରୁ ନିଆଁ ଲଗାଯାଇ ପୋଡି ଦିଆଯାଉଛି। ଏଥିଯୋଗୁ ସେଥିରୁ ଉତ୍କଟ ଗନ୍ଧ ବାହାରୁ ଥିବା ଅଞ୍ଚଳବାସୀ କହିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ସୀମାଞ୍ଚଳ ମିଶ୍ରଙ୍କୁ ପଚାରିବାରେ କହିଛନ୍ତି, ସହରରେ ଅଳିଆ ସଫା କରିବା ପାଇଁ ଯୋଜନା ଚାଲିଛି। ମୁଁ ଦୁଇ ଦିନ ହେବ ଅସ୍ଥାୟୀ ଭାବେ ଦାୟିତ୍ୱ ନେଇଛି। ପୂର୍ବରୁ ଥିବା ଅଧିକାରୀ କ’ଣ କରୁଥିଲେ ମୁଁ ଜାଣି ନାହିଁ। ତେବେ ଯଥା ସମ୍ଭବ ସହରରେ ପଡ଼ିଥିବା ଅଳିଆ ଉଠାଇବାକୁ ଉଦ୍ୟମ କରାଯିବ।