ସୁନାବେଶରେ ଦର୍ଶନ ଦେଲେ ମହାବାହୁ

ପୁରୀ ଅଫିସ,୧୩।୭: ଶନିବାର ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ବଢ଼ି ମଧ୍ୟାହ୍ନ ଧୂପ, ମଇଲମ ପରେ ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଛି। ଏହାପରେ ଅପରାହ୍ନରେ ତିନି ଠାକୁରଙ୍କ ସୁନାବେଶ କରାଯାଇଛି। ମହଣ ମହଣ ସ୍ବର୍ଣ୍ଣାଳଙ୍କାରରେ ଶ୍ରୀଜିଉମାନେ ସଜ୍ଜିତ ହୋଇଛନ୍ତି। ବଡ଼ ଠାକୁର ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଘାଗଡ଼ା ମାଳି, କଦମ୍ବମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା ଆଦି ପରିଧାନ କରିଥାନ୍ତି। ଦେବୀ ସୁଭଦ୍ରା କିରୀଟ, ଓଡ଼ିଆଣି, କାନ, ତଗଡ଼ି, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି ଆଦି ପରିଧାନ କରିଛନ୍ତି। ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରୀଟ ଆଦି ଅନେକ ସୁନା ଅଳଙ୍କାର ସହ ସ୍ବର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ ପରିଧାନ କରି ଭକ୍ତଙ୍କୁ ରଥ ଉପରେ ବଡ଼ଚଢ଼ାଉ ବେଶରେ ଦର୍ଶନ ଦେଉଛନ୍ତି।

Share