ସୁନାବେଶରେ ଦର୍ଶନ ଦେଲେ ମା’କୀଚକେଶ୍ୱରୀ

ବାରିପଦା ଅଫିସ୍‌,୧୩ା୧୧- ମୟୂରଭଞ୍ଜ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ୱରୀ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ସହସ୍ରାଧିକ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ସମାଗମ ଯୋଗୁ ମଙ୍ଗଳବାର ଖିଚିଂପୀଠ ଜନସମୁଦ୍ରରେ ପରିଣତ ହୋଇଥିଲା। ପ୍ରତିବର୍ଷଭଳି କାର୍ତ୍ତିକପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଥିବା ଦୁର୍ଲ୍ଲଭ ସୁନାବେଶ ସକାଳ ୭ଟାରୁ ଆରମ୍ଭ ହୋଇଥିଲା। ଏଠାରେ ପୂଜାର୍ଚ୍ଚନା ଓ ସୁନାବେଶ ଦର୍ଶନଲାଗି ଝାଡଖଣ୍ଡ,ବିହାର,ପଶ୍ଚିମବଙ୍ଗ ସମେତ ରାଜ୍ୟର ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ମଧ୍ୟାହ୍ନପରେ ମନ୍ଦିର ପରିସରରେ ଭକ୍ତଙ୍କ ଗହଳି ବୃଦ୍ଧି ପାଇବାରେ ଲାଗିଥିଲା। ସମସ୍ତଙ୍କ ପାଇଁ ବ୍ଲକ ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲପ୍‌ ହ୍ୟାଣ୍ଡସ୍‌ ଓ ମାରୱାଡି ଯୁବା ମଞ୍ଚର ମିଳିତ ସହଯୋଗରେ ଅନ୍ନଭୋଗ ବ୍ୟବସ୍ଥା ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ଏକାଧିକ ସି.ସି କ୍ୟାମେରା ଖଞ୍ଜା ଯାଇଥିଲା। ମନ୍ଦିରଟ୍ରଷ୍ଟି ମୁଖ୍ୟ ତଥା ଉପଜିଲାପାଳ ଦୁଃଖବନ୍ଧୁ ନାୟକ, ଆସିଷ୍ଟାଣ୍ଡ କଲେକ୍ଟର ଜ୍ୟୋତ୍ସାରାଣୀ ନାୟକ, ମନ୍ଦିର ପରିଚ୍ଛା ଅଜୟ କୁମାର ସାହୁ, ରେଭିନ୍ୟୁ ଅଫିସର ମନ୍ମଥନାଥ ମଲ୍ଲିକ, ଶୁକୃଳି ତହସିଲଦାର ଯତୀନ୍ଦ୍ରନାଥ ସେଠୀ, ରରୁଆଁ ତହସିଲଦାର ସାଇସ୍ମିତା ଉପାଧ୍ୟାୟ, ଅତିରିକ୍ତ ତହସିଲଦାର ବୀରସେନ୍‌ ବେହେରା, ଠାକୁରମୁଣ୍ଡା ତହସିଲଦାର ପ୍ରଦୁମ୍ନ ନାୟକ, ଶୁକୃଳି ବିଡିଓ କସ୍ତୁରୀବାଳା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷାକରିବାପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଶୋକ ପଟ୍ଟନାୟକ, ଏସ୍‌ଡିପିଓ ନାରାୟଣ ନାୟକ, ରରୁଆଁ ଭାରପ୍ରାପ୍ତ ଥାନା ଅଧିକାରୀ ଶୁକଦେବ ନାୟକଙ୍କ ସମେତ କରିଆ ସର୍କଲର ବିଭିନ୍ନ ଥାନାରୁ ସବ୍‌ ଇନିସ୍‌ପେକ୍ଟର, ପୁଲିସ୍‌, ୨ପ୍ଲାଟୁନ୍‌ ସୁରକ୍ଷାବଳ ସଜାଗ ହୋଇ ରହିଥିଲେ। ମୟୂରଭଞ୍ଜ ଏମପି ବିଶେଶ୍ୱର ଟୁଡୁ ଉପସ୍ଥିତ ରହି ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବିଭାଗ ସଂଘଚାଳକ ରତିକାନ୍ତ ବୈଦ୍ୟଙ୍କ ନେତୃତ୍ୱରେ ଶତାଧିକ ଆର୍‌ଏସ୍‌ଏସ୍‌ କର୍ମୀ ନିୟୋଜିତ ଥିଲେ।