କାହିଁକି ସୁନାର କଇଁଚିରେ ପ୍ରଥମ ଗ୍ରାହକଙ୍କ କେଶ କାଟିଲେ ସେଲୁନ ମାଲିକ

ମୁମ୍ବାଇ,୩୦।୬: କରୋନା ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ କୋହ୍ଲାପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। କୋହ୍ଲାପୁରରେ ଜଣେ ସେଲୁନ ମାଲିକ ନିଜ ପ୍ରଥମ ଗ୍ରାହକଙ୍କ କେଶ କାଟିବାକୁ ସୁନାର କଇଁଚି ବ୍ୟବହାର କରିଥିବା ଜଣାପଡ଼ିଛି। ତେବେ ସେ ବ୍ୟବହାର କରିଥିବା ସୁନା କଇଁଚିର ଓଜନ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କଇଁଚିର ଓଜନ ହେଉଛି ୧୦ଭରି। ସୂଚନାଯୋଗ୍ୟ, ‘ମିଶନ ବିଗିନ୍‌ ଏଗେନ’ ଆଧାରରେ ମହାରାଷ୍ଟ୍ର ସରକାର କରୋନା ସଙ୍କଟ ମଧ୍ୟରେ ଲକ୍‌ଡାଉନ କଟକଣାକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ ସାଧାରଣ ଜୀବନ ଧିରେ ଧିରେ ଟ୍ରାକ୍‌କୁ ଫେରିବା ସହ ସହରରେ ଦୋକାନ ବଜାର ଓ ସେଲୁନ ଖୋଲଛି। ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ହୋଇ କୋହ୍ଲାପୁରରେ ରାମଭାଉ ସଙ୍କପାଳ ନାମକ ଜଣେ ସେଲୁନ ମାଲିକ ନିଜ ପ୍ରଥମ ଗ୍ରାହକଙ୍କ କେଶ ସୁନା କଇଁଚିରେ କାଟିଛନ୍ତି। ଏଭଳି କରିବା ପଛରେ ସେ ଏକ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ ଯୋଗୁ ଦୀର୍ଘ ୩ମାସରୁ ଉର୍ଦ୍ଧ୍ୱ ହେବ ସେଲୁନ ବନ୍ଦ ରହିଛି। ଫଳରେ ତାଙ୍କ ବ୍ୟବସାୟ ଉପରେ ବଡ଼ ପ୍ରଭାବ ପକାଇଛି। ସେହି ସମୟରେ ସେଲୁନ ମାଲିକ ଓ କର୍ମଚାରୀମାନେ ଅତି ଖରାପ୍‌ ସ୍ଥିତି ଦେଇ ଗତି କରୁଥିଲେ। ବର୍ତ୍ତମାନ ସେଲୁନ ଖୋଲିବା ଖୁସିରେ ସେ ସୁନା କଇଁଚିରେ କେଶ କାଟିଛନ୍ତି ବୋଲି ରାମଭାଉ କହିଛନ୍ତି।

Share