Categories: ବାଣିଜ୍ୟ

ସୁନା ଅଳଙ୍କାରରେ ହଲ୍‌ମାର୍କ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫-୧: ଏଣିକି ଦେଶ ମଧ୍ୟରେ ସୁନା ଅଳଙ୍କାର ଏବଂ କଳାକୃତିର ହଲ୍‌ମାର୍କକୁ ବାଧ୍ୟତାମୂଳକ କରାଯିବ। ୧୫ ଜାନୁୟାରୀ ୨୦୨୦ଠାରୁ ହଲ୍‌ମାର୍କିଂ ବାଧ୍ୟତାମୂଳକ ଲାଗି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯିବ। ୨୦୨୧ ଜାନୁୟାରୀ ୧୫ଠାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ସାରା ଦେଶରେ ବାଧ୍ୟତାମୂଳକ କରାଯିବ। ନିୟମ ଲାଗୁ କରିବା ଲାଗି ଗୋଟିଏ ବର୍ଷ ସମୟ ଦିଆଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ମଙ୍ଗଳବାର ସୂଚନା ଦେଇଛନ୍ତି। ହଲ୍‌ମାର୍କିଂକୁ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ପାଶ୍ୱାନ କହିଛନ୍ତି। ଏହା ଦ୍ୱାରା ଅଳଙ୍କାରର ଶୁଦ୍ଧତା ବଜାୟ ରହିବ। ଅଳଙ୍କାର ଆଣିବା ସମୟରେ ଗ୍ରାହକମାନେ ଆଉ ଠକେଇରେ ପଡିବେ ନାହିଁ। କେବଳ ୧୪,୧୮ ଏବଂ ୨୨ କ୍ୟାରେଟ ବର୍ଗରେ ସୁନା ଅଳଙ୍କାର ରହିବ। ଏହା ଦ୍ୱାରା ଦୁର୍ନୀତିକୁ ରୋକାଯାଇ ପାରିବ ବୋଲି ସେ ମତ ରଖିଛନ୍ତି। ହଲମାର୍କିଂ ବାଧ୍ୟତାମୂଳକ ହେବା ପରେ ନିୟମ ଉଲଂଘନ କ୍ଷେତ୍ରରେ ୧ ଲକ୍ଷ ଟଙ୍କାଠାରୁ ଆରମ୍ଭ କରି ଠକାମି ହୋଇଥିବା ଗହଣାର ୫ ଗୁଣା ପର୍ଯ୍ୟନ୍ତ ଜରିମାନା କିମ୍ବା ଜେଲ ଦଣ୍ଡ ହେବ। ନିୟମ ଲାଗୁ କରିବା ଲାଗି ୧ ବର୍ଷ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ବ୍ୟବସାୟୀମାନେ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଏବଂ ପୁରୁଣା ସାମଗ୍ରୀକୁ ବିକ୍ରି କରି ପାରିବେ ବୋଲି ସେ ମତ ରଖିଛନ୍ତି।

Share