ବିକାନେର,୨୫।୮: ପୋଲିସକୁ ଚକ୍ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ ଥାଏ। ରାଜସ୍ଥାନର ବିକାନେର୍ରେ ଜଣେ ଚୋର ପୋଲିସକୁ ଦେଖି ସୁନା ଚେନ୍ ଗିଳିଦେଇଥିଲେ। ଚୋର ପେଟରୁ ଚେନ୍ କାଢିବା ପାଇଁ ଏକ ମଜାଦାର ଉପାୟ ଅବଲମ୍ବନ କରିଥିଲା ପୋଲିସ। ପ୍ରଥମେ ଚୋରକୁ ହସ୍ପିଟାଲ ନେଇ ପହଞ୍ଚିଥିଲା ପୋଲିସ। ସେଠାରେ ଅଲଟ୍ରାସାଉଣ୍ଡ ପରେ ଚୋର ପେଟରେ ଚେନ୍ ଥିବାର ଜଣାପଡିଥିଲା। କୌଣସି ଅପରେଶନ ନ କରି ତାଙ୍କୁ ପୋଟାସିୟମରେ ଭରପୂର ଖାଦ୍ୟ ଖାଇବାକୁ ଦେବାକୁ ଡାକ୍ତର ପୋଲିସକୁ କହିଥିଲେ। ଫଳରେ ପୋଲିସ ଚୋରକୁ ପ୍ରଚୁର କଦଳୀ ଖୁଆଇଲେ। ପରଦିନ ସକାଳେ ଚୋର ଶୌଚାଳୟ ଯିବାବେଳେ ଚେନ୍ଟି ବାହାରକୁ ଆସିଥିଲା। ସୂଚନାଯୋଗ୍ୟ, ଅଗଷ୍ଟ ୨୦ରେ ଦୁଇଜଣ ଚୋର ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଥିଲେ। ସିସି ଟିଭି ଫୁଟେଜରୁ ପୋଲିସ ଚୋରକୁ ଧରିବାକୁ ସକ୍ଷମ ହୋଇଥିଲା। ପୋଲିସକୁ ଦେଖିବା ମାତ୍ରେ ଚୋର ସୁନା ଚେନ୍ଟିକୁ ଗିଳି ଦେଇଥିଲା।